ହଷ୍ଟେଲ୍‌ରେ ଦୂଷିତ ପାଣି ପିଇ ନୀଟ୍‌ ଛାତ୍ରଙ୍କ ମୃତ୍ୟୁ; ୬୫ରୁ ଅଧିକ ଗୁରୁତର

କୋଟା: ହଷ୍ଟେଲ୍‌ରେ ଦୂଷିତ ପାଣି ପିଇ ନୀଟ୍‌ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ୬୫ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ରାଜସ୍ଥାନ କୋଟା ସହର ଜୱାହାର ନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

ଉକ୍ତ ଅଞ୍ଚଳରେ ଥିବା ଏକ ହଷ୍ଟେଲ୍‌ରେ ଛାତ୍ରମାନେ ଦୂଷିତ ପାଣି ପିଇ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅସୁସ୍ଥମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବୈଭବ ରୟ ନାମକ ଜଣେ ୧୮ ବର୍ଷୀୟ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ହଷ୍ଟେଲ୍‌ରେ ଥିବା ବେଳେ ହଠାତ୍ କିଛି ଛାତ୍ର ବାନ୍ତି କରିବା ସହ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ବେଳେ କିଛି ଛାତ୍ରଙ୍କୁ ହେପାଟିକ୍ ଏନସେଫାଲୋପାଥି ହୋଇଥିବା ଜଣାପଡ଼ିଥିଲା। ଅଧିକାଂଶ ଛାତ୍ର ଏଥିରେ ସଂକ୍ରମିତ ହୋଇଥିବା ଡାକ୍ତରୀ ପରୀକ୍ଷାରେ ଜଣାପଡ଼ିଛି।

ଏହାପରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଛାତ୍ରମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେଇଛି। ଏନେଇ କୋଟା ଚିଫ୍‌ ମେଡିକାଲ ଅଫିସର ଜଗଦିଶ ସୋନି କହିଛନ୍ତି “ ହଷ୍ଟେଲ୍‌ରେ ଖାଦ୍ୟ ଓ ପାଣିର ଯାଞ୍ଚ କରାଯାଇଛି। ଯେଉଁ ଛାତ୍ରମାନେ ଅସୁସ୍ଥ ହୋଇଛନ୍ତି, ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।”

ଛାତ୍ରଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଅନ୍ୟ କିଛି ଲୋକ ବି ହେପାଟିକ୍ ଏନସେଫାଲୋପାଥିରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଦୂଷିତ ପାଣି ବ୍ୟବହାର କରିଥିବାରୁ ଏପରି ହୋଇଥିବା ଡାକ୍ତରମାନେ କହିଛନ୍ତି।

ଏହି ଘଟଣାରେ କୋଟାର ଅତିରିକ୍ତ ମାଜିଷ୍ଟ୍ରେଟ୍‌ ବ୍ରିଜ୍ ମୋହନ ବୈରୱା କହିଛନ୍ତି ଯେ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲେ ପୂରା ମାମଲା ଜଣାପଡ଼ିବ ବୋଲି ସେ କହିଛନ୍ତି।

ହେପାଟିକ୍ ଏନସେଫାଲୋପାଥି ରୋଗ ହେଲେ ରୋଗୀର ଶରୀରରେ ଲିଭର ରକ୍ତରୁ ଥିବା ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିପାରେ ନାହିଁ। ଫଳରେ ରୋଗୀର ବ୍ରେନ୍ କାର୍ଯ୍ୟ କରିବା ବନ୍ଦ ହୋଇଯାଏ। ଯେଉଁମାନଙ୍କ ଠାରେ ଅତିଭୟଙ୍କର ଲିଭର ରୋଗ ଯଥା ସୋରିଆସିସ୍‌ ଓ ହେପାଟାଇଟିସ୍‌ ଭଳି ରୋଗ ଥାଏ ସେମାନଙ୍କ ଠାରେ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଏଥିରେ ବଦହଜମୀ ଓ ସଂକ୍ରମଣ ବି ହୋଇଥାଏ।

Related Articles

Back to top button