ମେଡିକାଲ ସିଟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହେଉଥିଲା: ସିବିଆଇ

ନୂଆଦିଲ୍ଲୀ: ସାରା ଦେଶରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ହୋଇଥିବା ଏନଇଇଟି ପରୀକ୍ଷାରେ ବ୍ୟାପକ ଦୂର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ତଦନ୍ତ ଅଧିକାରୀ ସଂସ୍ଥା ସିବିଆଇ ଏ ନେଇ ଏକ ବଡ଼ ଖୁଲାସା କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୋଟିଏ ଲେଖାଏଁ ମେଡିକାଲ ସିଟ୍ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି।

ଚାରି ରାଜ୍ୟରେ ଏ ନେଇ ଏକ ରାକେଟ ଚାଲିଥିବା ନେଇ ଜଣାପଡିଛି। ଏହି ମାମଲାରେ ସିବିଆଇ ୮ ଜଣଙ୍କୁ ଗିରଫ କରିଛି। ଖବର ଅନୁଯାୟୀ ଦିଲ୍ଲୀରୁ କିଛି ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ସିଟର ମୂଲ୍ୟ ୨୦ ଲକ୍ଷ ଟଙ୍କା, ସେଥିମଧ୍ୟରୁ ୫ ଲକ୍ଷ ଟଙ୍କା ଦେଲେ ଛାତ୍ରଙ୍କ ବଦଳରେ ଅନ୍ୟ ଜଣେ ପରୀକ୍ଷାରେ ବସି ପ୍ରଶ୍ନପତ୍ରର ଉତ୍ତର ଦେଉଥିଲା। ଅବଶିଷ୍ଟ ୧୫ ଲକ୍ଷ ଟଙ୍କା ମଧ୍ୟସ୍ଥି ଥିବା ଅନ୍ୟ ଲୋକଙ୍କ ମଧ୍ୟରେ ଭାଗି ବାଣ୍ଟି ନିଆଯାଉଥିଲା ବୋଲି ଜଣାପଡିଛି।

ପରୀକ୍ଷା ଦେଉଥିବା ପରୀକ୍ଷାର୍ଥୀଙ୍କ ୟୁଜର ଆଇଡି ଏବଂ ପାସଓ୍ୱାର୍ଡ ସନ୍ଦିଗ୍ଧ ବ୍ୟକ୍ତି ସଂଗ୍ରହ କରିଥିଲେ ଏବଂ ଯୋଜନା ଅନୁୟାୟୀ ଇଛାକୃତ ପରୀକ୍ଷା କେନ୍ଦ୍ର ପାଇବା ପାଇଁ ଆବଶ୍ୟକ ସଂଶୋଧନ କରାଉଥିଲେ । ନାମ ଗୋପନ ରଖିବାକୁ ଅନୁରୋଧ କ୍ରମେ ‘ହିନ୍ଦୁସ୍ଥାନ ଟାଇମ୍ସକୁ’ ସିବିଆଇର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି,  ସେମାନେ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ନକଲି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲରେ ବସାଇବାକୁ ଯାଇ ଫଟୋ ଏଡିଟ୍ କରୁଥିଲେ। ପରେ ଜାଲ୍ ଆଇଡି କାର୍ଡ ତିଆରି କରିବା ଉଦ୍ଦେଶ୍ୟରେ ପ୍ରାର୍ଥୀଙ୍କ ପରିଚୟ ପତ୍ରର ନକଲ ସଂଗ୍ରହ କରୁଥିଲେ।

Related Articles

Back to top button