ସ୍ବାଧୀନତା ଦିବସରେ ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବ ୩୦ ଫୁଟ ଉଚ୍ଚ ନେତାଜୀଙ୍କ ପ୍ରତିମୂର୍ତ୍ତି, ଚାଲିଛି ନିର୍ମାଣ

ଉଚ୍ଚତା ୩୦ ଫୁଟ, ଓସାର ୬ ଫୁଟ

ନୂଆଦିଲ୍ଲୀ : ଇଣ୍ଡିଆ ଗେଟ୍‌ରେ ସ୍ଥାପନ ହେବାକୁ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏହାର ନିର୍ମାଣ କାର୍ଯ୍ୟ ପାଇଁ ମହୀଶୂର ଖ୍ୟାତନାମା ଭାସ୍କର୍ଯ୍ୟ ଶିଳ୍ପୀ ଅରୁଣ ‌ଯୋଗୀରାଜ କରୁଛନ୍ତି। ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ତାଙ୍କର ୧୨୫ ତମ ଜନ୍ମବାର୍ଷିକୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ। ଚଳିତ ବର୍ଷ ଜାନୁଆରି ୨୩ରେ ନେତାଜୀଙ୍କ ଜନ୍ମ ଦିନରେ ତାଙ୍କର ହଲୋଗ୍ରାମ ପ୍ରତିମୂର୍ତ୍ତିକୁ ଇଣ୍ଡିଆ ଗେଟ୍‌ରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ।

ଇଣ୍ଡିଆ ଗେଟ୍‌ରେ ନିର୍ମାଣାଧୀନ ପ୍ରତିମୂର୍ତ୍ତିର ଫିଟିଂ ସମ୍ବନ୍ଧିତ ପରୀକ୍ଷାନିରୀକ୍ଷା ଆରମ୍ଭ କରାଯିବାର ସମ୍ଭାବନା ରହିଛି। ଏହାର ନିର୍ମାଣ ଓଡ଼ିଆ ସ୍ଥପତି ତଥା ନ୍ୟାସନାଲ ମଡର୍ନ ଆର୍ଟ ଗ୍ୟାଲେରି (ଏନ୍‌ଜିଏମ୍‌ଏ) ନିର୍ଦ୍ଦେଶକ ଅଦ୍ବୈତ ଗଡ଼ନାୟକଙ୍କ ନେତୃତ୍ବରେ ୩୦ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ନିର୍ମାଣ ଡିଜାଇନ ଚୂଡ଼ାନ୍ତ ହୋଇଥିଲା। ଖୋଦ୍‌ ଶ୍ରୀ ଗଡ଼ନାୟକ ମଧ୍ୟ ଏହାର ନିର୍ମାଣ କରୁଥିବା କହିଥିଲେ। ମିଳିଥିବା ସୂଚନା ଅନୁସାରେ ଏପ୍ରିଲ ୫ ,୨୦୨୨ରେ ସ୍ଥପତି ଶ୍ରୀ ଯୋଗିରାଜ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ସାକ୍ଷାତ କରି ସେ ନିର୍ମାଣ କରିଥିବା ନେତାଜୀଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଥିଲେ। ଶ୍ରୀ ମୋଦୀ ଅରୁଣଙ୍କ ପଥର ଖୋଦେଇ କାର୍ଯ୍ୟର ପ୍ରଶଂସା କରିବା ସହ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଟୋକୁ ଟୁଇଟ୍‌ ମଧ୍ୟ କରାଯାଇଥିଲା। ଏହା ପୂର୍ବରୁ ଅରୁଣଙ୍କ ଦ୍ବାରା ନିର୍ମିତ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ କେଦାରନାଥ (ଉତ୍ତରାଖଣ୍ଡ)ରେ ଉନ୍ମୋଚନ କରିଥିଲେ।

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଅରୁଣଙ୍କୁ ଚୟନ କରାଯିବା ପରେ ଚଳିତ ମାସ ପ୍ରଥମ ସପ୍ତାହରେ ସେ ଦିଲ୍ଲୀରେ ପହଂଚିଥିଲେ। ଏନ୍‌ଜିଏମ୍‌ଏ ଟିମ୍‌ ସହ ସମନ୍ବୟ ପ୍ରତିଷ୍ଠା କରି ସେ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି। ତେଲେଙ୍ଗାନାର ଖନ୍ନାମ ଜିଲ୍ଲାରୁ ବିଶାଳ ଜେଟ୍‌ ବ୍ଲାକ ଗ୍ରାନାଇଟ (କଳା ମୁଗୁନି ପଥର)କୁ ସଡ଼କ ଯୋଗେ ଅଣାଯିବା ପରେ ଏହାର ନିର୍ମାଣ କାର୍ଯ୍ୟ ଗତ ଦୁଇ ମାସ ହେଲା ଆରମ୍ଭ ହୋଇଛି। ଦିଲ୍ଲୀର ଏନ୍‌ଜିଏମ୍‌ଏ ପରିସରରେ ନିର୍ମାଣ କାର୍ଯ୍ୟ ଜାରି ରହିଛି। ୩୦ ଫୁଟ ଉଚ୍ଚତା ଓ ୬ ଫୁଟ ଓସାର ବିଶିଷ୍ଟ ନେତାଜୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟରେ କର୍ଣ୍ଣାଟକ ସମେତ ଦକ୍ଷିଣ ଭାରତର ୪୦ ଜଣ ଗ୍ରାନାଇଟ୍‌ ଶିଳ୍ପୀ ତିନି ସିଫ୍ଟରେ କାର୍ଯ୍ୟ କରୁଛନ୍ତି। ଆସନ୍ତା ଅଗଷ୍ଟ ୧୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ଆଶା କଖାଯାଇଛି। ସ୍ବାଧୀନତା ଦିବସରେ ଇଣ୍ଡିଆ ଗେଟ୍‌ରେ ଏହାକୁ ସ୍ଥାପନ କରାଯିବ। ଏକ ସାମିୟାନା ତଳେ ଉକ୍ତ ପ୍ରତିମୂର୍ତ୍ତି ରହିବ। ପୂର୍ବରୁ ଉକ୍ତ ସାମିୟାନା ତଳେ ରାଜା ପଞ୍ଚମ ଜର୍ଜଙ୍କ ପ୍ରତିମୂର୍ତ୍ତି ରହିଥିଲା। ଯାହାକୁ କି ୧୯୬୮ରେ ହଟାଇ ଦିଆଯାଇଥିଲା। ଏହାର ନିର୍ମାଣ ଅଗ୍ରଗତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ବାରା ତଦାରଖ କରାଯାଉଛି।

Related Articles

Back to top button