
OTT କୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି
OTT କୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି । ଅନଲାଇନ୍ ଅଶ୍ଳୀଳ କଣ୍ଟେଣ୍ଟର ପ୍ରସାରଣ ଉପରେ ରୋକ ଲଗାଇବା ଲାଗି ଆଗତ ପିଟିସନ୍ ଉପରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି କରିଛନ୍ତି । ଡିଜିଟାଲ୍ ପ୍ଲାଟଫର୍ମରେ ଅଶ୍ଳୀଳତା ପ୍ରସାର ଗମ୍ଭୀର ପ୍ରସଙ୍ଗ ବୋଲି ସୁପ୍ରିମକୋର୍ଟ କହିବା ସହ କେନ୍ଦ୍ର ସରକାର ଏବଂ ୯ ଓଟିଟି ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି । ଜଷ୍ଟିସ୍ ବି.ଆର୍ ଗଭଇ ଏବଂ ଜଷ୍ଟିସ୍ ଅଗନିଷ୍ଟ୍ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଥିଲେ , ଏହି ମାମଲା ଚିନ୍ତାଜନକ । କେନ୍ଦ୍ର ସରକାର ଏହା ଉପରେ ପଦକ୍ଷେପ ନେବା ନିତାନ୍ତ ଜରୁରି ।
ଏଭଳି ମାମଲା କାର୍ଯ୍ୟପାଳିକା କିମ୍ବା ବ୍ୟବସ୍ଥାପିକା ଅଧିକାର କ୍ଷେତ୍ର ମଧ୍ୟରେ ଆସୁଛି । ଏମିତି ବି କାର୍ଯ୍ୟପାଳିକା ଅଧିକାର କ୍ଷେତ୍ର ମଧ୍ୟରେ ନ୍ୟାୟପାଳିକା ହସ୍ତକ୍ଷେପ କରୁଥିବାରୁ ଅଭିଯୋଗ ଆସୁଛି । ଏହା ସତ୍ତ୍ବେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରୁଛନ୍ତି । ଓଟିଟି ପ୍ଲାଟଫର୍ମ ଉଲ୍ଲୁ ଡିଜିଟାଲ୍, ନେଟଫ୍ଲିକ୍ସ, ଆମାଜନ୍ ପ୍ରାଇମ୍, ମୁବି, ଅଲ୍ଟ ବାଲାଜୀ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ କର୍ପ, ଗୁଗଲ୍, ମେଟା ଇଙ୍କ୍, ଆପଲକୁ ଏହି ନୋଟିସ୍ ଜାରି ହୋଇଛି । ପିଟିସନରଙ୍କ ଓକିଲ ବିଷ୍ଣୁ ଜୈନ୍ କହିଥିଲେ, ସୋସିଆଲ୍ ମିଡିଆରେ ବିନା କଟକଣାରେ ଅଶ୍ଳୀଳ ବିଷୟବସ୍ତୁ ପ୍ରସାର କରାଯାଉଛି । ପ୍ରସାରଣ ପୂର୍ବରୁ ଏହାର ଯାଞ୍ଚ୍ କରାଯାଉନାହିଁ । ସଲିସିଟର ଜେନେରାଲ୍ କହିଥିଲେ , ସରକାର ନୂଆ ନିୟମ ଲାଗୁ କରିବାକୁ ବିଚାର କରୁଛନ୍ତି ଓ କଣ୍ଟେଣ୍ଟ୍ ଉପରେ ନିୟନ୍ତ୍ରଣ ରଖିବା ଲାଗି ଏହା ଉପରେ କାମ ଚାଲିଛି ।