ନୂତନ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ରାତ୍ରୀକାଳୀନ ପରୀକ୍ଷଣ ସଫଳ

ନୂତନ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ରାତ୍ରୀକାଳୀନ ପରୀକ୍ଷଣ ସଫଳ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ବୁଧବାର ସନ୍ଧ୍ୟା ୬ ଟା ୫୦ରେ ଏହାର ସଫଳ ପରୀକ୍ଷଣ କରିଛି । ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍‌ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି ।

ଅଗ୍ନି-୪ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୪ ହଜାର କିମି ଏବଂ ଅଗ୍ନି-୫ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୫ ହଜାର କିମି ହୋଇଥିବାବେଳେ ଏହି ଦୁଇ କ୍ଷେପଣାସ୍ତ୍ରର ଜ୍ଞାକକୌଶଳକୁ ନେଇ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ର ନିର୍ମିତ ହୋଇଛି । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୧ ହଜାର କିମିରୁ ୨ ହଜାର କିମି ମଧ୍ୟରେ ସୀମିତ ବୋଲି ଜଣାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯିବାକୁ ଥିବା ଏହି କ୍ଷେପଣାସ୍ତ୍ରର ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ଓଜନ ୬ ଟନ, ଲମ୍ବ ୧୫ ମିଟର ଓ ମୋଟେଇ ୧ ମିଟର ଅଟେ । ଏହି କ୍ଷେପଣାସ୍ତ୍ରକୁ ବହନ କରୁଥିବା ଇଞ୍ଜିନ ୨ ପର୍ଯ୍ୟାୟ ବିଶିଷ୍ଟ ହୋଇଥିବାବେଳେ ଏହା କଠିନ ଇନ୍ଧନ ଦ୍ୱାରା ଚାଳିତ । ଏହାର ବେଗ ସେକେଣ୍ଡ ପ୍ରତି ୨.୫ କିମି ଅଟେ ।

ଅଗ୍ନି ପ୍ରାଇମର ଉତ୍‌କ୍ଷେପଣ ସମୟରେ ଭାରତର ପୂର୍ବାଞ୍ଚଳରେ ଥିବା ସମସ୍ତ ରାଡାରରେ ଏହାର ଗତିବିଧି ଉପରେ ସଂପୂର୍ଣ୍ଣ ନଜର ରଖାଯାଇଥିଲା । ଏହି ମିସାଇଲ ଭାରତୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି । ପରୀକ୍ଷା ହୋଇଥିବା ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ସମୟରେ ୯୩୦ କିମି ଦୂରତା ଅତିକ୍ରମ କରିଥିବା ଜଣାଯାଇଛି ।

Related Articles

Back to top button