
ଭାରତର 5G ଟେକନିକ୍ ସ୍ୱଦେଶୀ, ଅନ୍ୟ ଦେଶଙ୍କ ସହ ଏହାକୁ ସେୟାର କରିବାକୁ ପ୍ରସ୍ତୁତ: ନିର୍ମଳା ସୀତାରମଣ
ୱାସିଂଟନ ଡିସି: ଭାରତରେ 5G ମୋବାଇଲ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଗଲାଣି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଫାଇଭ-ଜି ଟେକ୍ନୋଲଜିକୁ ସ୍ୱଦେଶୀ ବୋଲି କହିଛନ୍ତି। ଯଦିଓ ଏଥି ପାଇଁ ଦକ୍ଷିଣ କୋରିଆ ଭଳି ଦେଶଙ୍କଠାରୁ କିଛି ଯନ୍ତ୍ରାଂଶ ଆମଦାନୀ କରାଯାଇଛି ତେବେ ଜ୍ଞାନକୌଶଳ ସ୍ୱଦେଶୀ ବୋଲି ସେ କହିଛନ୍ତି। ଏବେ ଭାରତ ଅନ୍ୟ ଦେଶଙ୍କ ସହ ଏହି ଟେକ୍ନୋଲଜି ସେୟାର କରିବାକୁ ପ୍ରସ୍ତୁତ ବୋଲି ସୀତାରମଣ କହିଛନ୍ତି।
ଜନ୍ ହପକିନ୍ସ ସ୍କୁଲ ଅଫ ଆଡଭାନ୍ସଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ରେ ଷ୍ଟୁଡଣ୍ଟଙ୍କ ସହ ଆଲୋଚନାରେ ନିର୍ମଳା ସୀତାରମଣ ଏହା କହିଛନ୍ତି। ତେବେ ଭାରତରେ ଫାଇଭ-ଜି କାହାଣୀ ଏବେ ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା ବାକି ଅଛି ବୋଲି ସେ କହିଛନ୍ତି। ଆମେ ଆମ ଦେଶରେ ଯେଉଁ ଫାଇଭ-ଜି ଲଞ୍ଚ କରିଛୁ ତାହା ସମ୍ପୂର୍ଣ୍ଣ ଷ୍ଟାଣ୍ଡଏଲୋନ ବୋଲି ସୀତାରମଣ କହିଛନ୍ତି। ଏବେ ଆମେ ଯେ କୌଣସି ଦେଶକୁ ଫାଇଭ-ଜି ଯୋଗାଇ ଦେବାକୁ ଆମେ ସକ୍ଷମ ବୋଲି ସେ କହିଛନ୍ତି।
ତେବେ ଅଧିକାଂଶ ଦେଶ ୨୦୨୪ ସୁଦ୍ଧା ଟେକ୍ନୋଲଜିର ଲାଭ ଉଠାଇ ପାରିବେ ଓ ଫାଇଭ-ଜିକୁ ନେଇ ଭାରତର ଉପଲବ୍ଧିରେ ଆମେ ଗର୍ବିତ ବୋଲି ନିର୍ମଳା ସୀତାରମଣ କହିଛନ୍ତି। ସେ କହିଛନ୍ତି ଯେ ଟେକ୍ନୋଲଜିର ଉପଯୋଗରେ ଭାରତରେ ସୁଶାସନ ସ୍ଥାପିତ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର ୧ ତାରିଖ ଦିନ ଦେଶରେ ଫାଇଭ-ଜି ଟେଲିଫୋନ ସେବା ଆରମ୍ଭ କରିଥିଲେ। ଫଳରେ ମୋବାଇଲ ଫୋନରେ ଅଲ୍ଟ୍ରା ହାଇସ୍ପିଡ୍ ଇଣ୍ଟରନେଟ୍ ଯୁଗର ଶୁଭାରମ୍ଭ ହୋଇଥିଲା।