ପ୍ରତ୍ୟାଖ୍ୟାନ ହେଲା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ
ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ନୋଟିସକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ପଛର କାରଣ ହେଉଛି ଯେ କୌଣସି ଅନସ୍ଥା ପ୍ରସ୍ଥାବର ନୋଟିସକୁ ଅତି କମରେ ୧୪ ଦିନ ପୂର୍ବରୁ ଅଣାଯିବା ଉଚିତ, ଯାହା ଘଟି ନଥିଲା। ତେଣୁ ରାଜ୍ୟସଭା ଅଧ୍ୟକ୍ଷ ବିରୋଧୀଙ୍କ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହ ବିରୋଧୀ ଦଳର ଚାଲ୍ ଫେଲ୍ ମାରିଛି। ଖବର ଅନୁସାରେ ଡେପୁଟି ଚେୟାରମ୍ୟାନ୍ ହରିବଂଶ ଏହି ରାୟ ପ୍ରଦାନ କରିବାବେଳେ କହିଛନ୍ତି ଯେ ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ବ୍ୟକ୍ତିଙ୍କ ବିରୋଧରେ ଏକ କାହାଣୀ ସୃଷ୍ଟି କରିବା ପାଇଁ ଏହି ପ୍ରସ୍ତାବ ଅଣାଯାଇଥିଲା।
ପ୍ରତ୍ୟାଖ୍ୟାନର କାରଣ ବର୍ଣ୍ଣନା କରି ଡେପୁଟି ଚେୟାରମ୍ୟାନ୍ ହରିବଂଶ କହିଛନ୍ତି ଯେ ଏଭଳି ପ୍ରସ୍ଥାବ ଆଣିବା ପାଇଁ ବାଧ୍ୟତାମୂଳକ ୧୪ ଦିନର ନୋଟିସ୍ ଦିଆଯାଇ ନାହିଁ। ସେ କହିଛନ୍ତି ଯେ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ନାମ ମଧ୍ୟ ସଠିକ୍ ଭାବେ ଲେଖାଯାଇ ନାହିଁ।ପୂର୍ବ ସପ୍ତାହରେ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଏହି ପଦବୀରୁ ହଟାଇବା ପ୍ରସ୍ତାବ ଉପରେ ରାଜ୍ୟସଭାରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ତୀବ୍ର ଆରୋପ ଓ ପ୍ରତ୍ୟୋରପ ଦେଖା ଯାଇଥିଲା, ଯେଉଁ କାରଣରୁ ଉପର ଗୃହର ପ୍ରକ୍ରିୟା ଠିକ୍ ଭାବରେ ଚାଲି ପାରି ନଥିଲା। ଏପରି ଉତ୍ତେଜନା ପରେ ଶୁକ୍ରବାର ଦିନ ରାଜ୍ଯସଭାକୁ ସ୍ଥଗିତ ରଖାଯାଇଥିଲା। ଶୁଣାଣି ସ୍ଥଗିତ ରଖିବା ପୂର୍ବରୁ ଧନଖର ବିରୋଧୀଙ୍କୁ ଦିନରାତି ତାଙ୍କ ବିରୋଧରେ ଅପ୍ରଚାର କରୁଥିବାର ଅଭିଯୋଗ କରିଥିଲେ ଏବଂ କହିଥିଲେ ଯେ ସେ ଜଣେ କୃଷକ ପୁଅ ଏବଂ ସେ କେବେହେଲେ ଦୁର୍ବଳ ହେବେ ନାହିଁ। ସେ କହିଥିଲେ, “ଦିନସାରା ବାଚସ୍ପତିଙ୍କ ବିରୋଧରେ ଏକ ଅଭିଯାନ ଚାଲିଛି… ଏହି ଅଭିଯାନ ମୋ ବିରୁଦ୍ଧରେ ନୁହେଁ, ଏହା ମୋର ଶ୍ରେଣୀ ବିରୁଦ୍ଧରେ ଏକ ଅଭିଯାନ।”ସେ କହିଥିଲେ, “ମୁଖ୍ୟ ବିରୋଧୀ ଦଳ ଏହାକୁ ବାଚସ୍ପତିଙ୍କ ବିରୋଧରେ ଏକ ଅଭିଯାନ ଭାବରେ ପ୍ରୋଜେକ୍ଟ କରିଥିବାରୁ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ। ମୋ ବିରୁଦ୍ଧରେ ଏକ ଅଭିଯୋଗ ଆଣିବାକୁ ସେମାନଙ୍କର ଅଧିକାର ଅଛି। ଏହା ସେମାନଙ୍କର ସାମ୍ବିଧାନିକ ଅଧିକାର କିନ୍ତୁ ସେମାନେ ସାମ୍ବିଧାନିକ ବ୍ୟବସ୍ଥାରୁ ବିଚ୍ୟୁତ ହେଉଛନ୍ତି।”