ବଢ଼ିବନି ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ଙ୍କ ଅବସର ବୟସ

ନୂଆଦିଲ୍ଲୀ: ହାଇକୋର୍ଟ ଓ ସୁପ୍ରିମକୋର୍ଟ ଜଜ୍‌ ମାନଙ୍କ ରିଟାୟରମେଣ୍ଟ ଏଜ୍ ଅର୍ଥାତ ସେବା ନିବୃତ୍ତି ବୟସ ବୃଦ୍ଧି ଲାଗି  ଦୀର୍ଘ ସମୟର ଚର୍ଚ୍ଚାରେ କେନ୍ଦ୍ର ସରକାର ଶୁକ୍ରବାର ବିରାମ ଲଗାଇ ଦେଇଛନ୍ତି। ସଂସଦର ମୌସୁମୀ ଅଧିବେଶନରେ ଏ ସମ୍ପର୍କିତ ଜନୈକ ସାଂସଦଙ୍କ ଲିଖିତ ପ୍ରଶ୍ନର ଜବାବରେ ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି।

ଏଥିରେ ଶୀର୍ଷ ଅଥବା ଉଚ୍ଚ ନ୍ୟାୟାଳୟମାନଙ୍କର ବିଚାରପତିଙ୍କ ସେବା ନିବୃତ୍ତି ଆୟୁ ବୃଦ୍ଧି ଲାଗି ସରକାରଙ୍କର କୌଣସି ପ୍ରସ୍ତାବ ନଥିବା କଥା କହିଛନ୍ତି। କେନ୍ଦ୍ର ଆଇନ ମନ୍ତ୍ରୀ  କିରଣ ରିଜ୍ଜୁ ଏକ ଲିଖିତ ପ୍ରଶ୍ନର ଜବାବରେ ଏହା ଉଲ୍ଲେଖ କରିଛନ୍ତି। ଲିଖିତ ଜବାବ ଅନୁସାରେ ଉଚ୍ଚନ୍ୟାୟାଳୟଙ୍କ ବିଚାରପତିମାନଙ୍କ ଅବସର ଆୟୁ ୬୫ ବର୍ଷ ପର୍ଯ୍ୟନ୍ତ କରିବା ଲାଗି ୨୦୧୦ ମସିହାରେ ଏକ ବିଧେୟକ ଉପସ୍ଥାପନା କରାଯାଇଥିଲା।

ଚତୁର୍ଦ୍ଦଶ ଲୋକସଭା କାଳରେ ସମ୍ବିଧାନର ୧୧୪ତମ ସଂଶୋଧନ ବିଧେୟକ ଉପରେ ତତ୍କାଳୀନ ସଂସଦ ବିଚାର କରିନଥିଲେ। ଏଣୁ ୨୦୧୪ରେ ଚତୁର୍ଦ୍ଦଶ ଲୋକସଭାର ସମାପ୍ତି ସହିତ ବିଧେୟକ ନିଷ୍ପ୍ରଭାବି ହୋଇ ଯାଇଛି। ସମ୍ବିଧାନ ଅନୁସାରେ ହାଇକୋର୍ଟଙ୍କ ବିଚାରପତି ୬୨ ବର୍ଷ ଆୟୁରେ ଆବସର ଗ୍ରହଣ କରନ୍ତି। ତେବେ ସୁପ୍ରିମକ କୋର୍ଟରେ ଏହି ବୟସ ସୀମା ୬୫ ବର୍ଷ ରହିଛି।

ପ୍ରଶ୍ନରେ ସରକାର ଉଚ୍ଚନ୍ୟାୟାଳୟଙ୍କ ବିଚାରପତିମାନଙ୍କ ଅବସର ଆୟୁ ୬୨ରୁ ୬୫କୁ ଓ ସୁପ୍ରିମକୋର୍ଟ ବିଚାରପତିଙ୍କ ଆୟୁ ୬୫ରୁ ୬୭ ଓ ଚିଫ୍ ଜଷ୍ଟିସ୍‌ଙ୍କ ଅବସର ଅଧିକ ୨ ବର୍ଷ ଅଥବା ୬୭ ବର୍ଷ ବୟସ ଯାହା ପ୍ରଥମେ ହେବ କରିବାକୁ ସରକାରଙ୍କ ବିଚାର ଅଛିକି ବୋଲି ପଚରା ଯାଇଥିଲା। ତେବେ ବର୍ତ୍ତମାନ ସରକାରଙ୍କ ନିକଟରେ ବିଚାର ଲାଗି ଏପରି କୋଣସି ପ୍ରସ୍ତାବ ଲମ୍ବିତ ନଥିବା ରିଜ୍ଜୁ କହିଛନ୍ତି।

Related Articles

Back to top button