
ଜମ୍ମୁ ଏୟାରପୋର୍ଟକୁ ଉଡ଼ାଇବାର ଷଡ଼୍ଯନ୍ତ୍ର ରଚିଥିଲା ପାକିସ୍ତାନ : ପଠାଇଥିଲା ୨୦ କିଲୋ ବିସ୍ଫୋଟକ
ଦେଶର ସୁରକ୍ଷାର ଦାୟିତ୍ବ ନେଇଥିବା NSG ର ମହାନିର୍ଦ୍ଦେଶକ ଭୃଗୁ ଶ୍ରୀନିବାସନ ପାକିସ୍ତାନର ଆଉ ଏକ ଯୋଜନାକୁ ପଣ୍ଡ କରିଛନ୍ତି । ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନୀ ସେନା ଜମ୍ମୁ ଏୟାରପୋର୍ଟକୁ ଉଡ଼ାଇବାର ଷଡ଼୍ଯନ୍ତ୍ର ରଚିଥିଲା । ଏଥିପାଇଁ ପାକିସ୍ତାନୀ ଡ୍ରୋନ୍ ୨୦ କିଲୋ ବିସ୍ଫୋଟକ ପଠାଇଥିଲା । ଯାହାକୁ NSG ଏବଂ ସୁରକ୍ଷାବଳ ମିଶି ନିଷ୍କ୍ରିୟ କରିଥିଲେ । ସମୟ ପୂର୍ବରୁ ବିସ୍ଫୋଟକକୁ ନିଷ୍କ୍ରିୟ କରି ଆତଙ୍କୀସ୍ତାନର ଷଡ଼୍ଯନ୍ତ୍ରକୁ ପଣ୍ଡ କରିଥିଲା NSG । ଦିଲ୍ଲୀରେ ଆୟୋଜନ ହୋଇଥିବା ଏକ ସେମିନାରରେ ମହାନିର୍ଦ୍ଦେଶକ ଭୃଗୁ ଶ୍ରୀନିବାସନ ଏହି ଘଟଣା ଉପରୁ ପରଦା ହଟାଇଥିଲେ । ଏହି ସେମିନାରରେ ଅପରେସନ ସିନ୍ଦୂରକୁ ନେଇ ଅନେକ ଖୁଲାସା କରାଯାଇଥିଲା । ଭୃଗୁ ଶ୍ରୀନିବାସନ କହିଥିଲେ ଯେ ‘ଆତଙ୍କବାଦ ବିପକ୍ଷରେ ଜାରି ରହିଥିବା ଲଢ଼େଇରେ ଯେଉଁ ଦକ୍ଷତା NSG ଦେଖାଇଛି ସେହି ଦକ୍ଷତା ଏବେ ସୁରକ୍ଷା ଏଜେନ୍ସିକୁ ମଧ୍ୟ ପ୍ରଦାନ କରାଯିବ । NSG ଦେଶର ସବୁ ରାଜ୍ୟର ସୁରକ୍ଷା ଏଜେନ୍ସିଙ୍କୁ ତାଲିମ ଦେବ । ଆତଙ୍କବାଦ କେବଳ ଭାରତର ମୁଣ୍ଡବ୍ୟଥାର କାରଣ ନୁହେଁ ଏହି ରୋଗ ସାରା ବିଶ୍ବକୁ ବ୍ୟାପିଲାଣି । ଭାରତ ଅପରେସନ ସିନ୍ଦୂର ମାଧ୍ୟମରେ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ଜରିଆରେ ସାରା ଦୁନିଆକୁ ଆତଙ୍କବାଦ ବିପଦ ବିଷୟରେ ସୂଚିତ କରିଛି ।’