ଭଙ୍ଗା ହେଲା ନୁହ୍‌ ହୋଟେଲ

ନୁହ୍‌: ହରିୟାଣାର ନୁହ୍‌ରେ ଦୁର୍ବୃତ୍ତମାନେ ଧାର୍ମିକ ଶୋଭାଯାତ୍ରା ଉପରକୁ ଯେଉଁ ହୋଟେଲ୍‌ରୁ ଟେକା ପଥର ବର୍ଷଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା ଆଜି ଜିଲ୍ଲା ପ୍ରଶାସନ ‘ଜେସିବି’ ଲଗାଇ ବେଆଇନ ଭାବେ ନିର୍ମାଣ କରାଯାଇଥିବା ସେ ହୋଟେଲ୍‌-କମ୍‌-ରେସ୍ତୋରାଁକୁ ଭାଙ୍ଗି ଦିଆଯାଇଥିବା ଏକ ଗଣମାଧ୍ୟମ ରିପୋର୍ଟ କରିଛି।

ଆଜି ଉଚ୍ଛେଦ ଅଭିଯାନର ୪ର୍ଥ ଦିନରେ ‘ସାହାରା ହୋଟେଲ୍‌’ ନାମକ ସେ ହୋଟେଲ୍‌-କମ୍‌-ରେସ୍ତୋରାଁକୁ ଭାଙ୍ଗିବା ଲାଗି ନୁହ୍‌ ଜିଲ୍ଲା ପ୍ରଶାସନ ବୁଲ୍‌ଡୋଜର୍‌ ଅଣାଇଥିଲା।

ସରକାରୀ ଅଧିକାରୀମାନଙ୍କର ବିଶ୍ବାସ ଯେ, ‘ସାହାରା ହୋଟେଲ୍‌’ ଛାତ ଉପରୁ କେତେକ ଲୋକ ଧାର୍ମିକ ଶୋଭାଯାତ୍ରା ଉପରକୁ ଟେକାପଥର ଫିଙ୍ଗିବାରୁ ସୋମବାର ଦିନ ନୁହ୍‌ରେ ହିଂସାକାଣ୍ଡ ଆରମ୍ଭ ହୋଇଥିଲା। ଉତ୍ତ୍ୟକ୍ତ ଜନତା ଧାର୍ମିକ ଶୋଭାଯାତ୍ରା ଉପରକୁ ଟେକାପଥର ଫିଙ୍ଗି ଆକ୍ରମଣ କରିବାରୁ, ଶୋଭାଯାତ୍ରାରେ ସାମିଲ ହୋଇଥିବା ୨୫୦୦ରୁ ଅଧିକ ଲୋକ ଧାଇଁ ଯାଇ ଏକ ମନ୍ଦିରରେ ଆଶ୍ରୟ ନେଇଥିଲେ।

ଶନିବାର ଦିନ ମଧ୍ୟ ହରିୟାନା ସରକାରୀ କର୍ତ୍ତୃପକ୍ଷମାନେ ହିଂସା ପ୍ରପୀଡ଼ିତ ନୁହ୍‌ ଜିଲ୍ଲାରେ ବେଆଇନ ଭାବେ ନିର୍ମିତ ଅନେକ କୋଠାବାଡ଼ି ଭାଙ୍ଗି ଉଚ୍ଛେଦ କରିଥିଲେ। ସେଥିରୁ କେତେକ କୋଠାବାଡ଼ି ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କ ମାଲିକାନାରେ ଥିବା କଥା ବି ସେମାନେ କହିଥିଲେ।

ଉଚ୍ଛେଦ କରାଯାଇଥିବା କୋଠାବାଡ଼ିରେ ଥିଲା ଔଷଧ ଦୋକାନ ସମତେ ଅନ୍ୟାନ୍ୟ ଅନେକ ଦୋକାନ। ସେହିପରି, ପୂର୍ବରୁ ହିଂସା ପ୍ରପୀଡ଼ିତ ନୁହ୍‌ଠାରୁ ପ୍ରାୟ ୨୦ କିଲୋମିଟର୍‌ ଦୂର ତୌରୁରେ ଥିବା ପ୍ରବାସୀମାନଙ୍କ ଝୁମ୍ପୁଡ଼ି ଘର ସବୁ ଉଚ୍ଛେଦ କରାଯାଇଥିଲା। ସେଠାରେ ସରକାରୀ ଜମି ଜବରଦଖଲ କରି ବସ୍ତି ବସାଯାଇଥିଲା ‌ବୋଲି ସରକାରୀ ଅଧିକାରୀମାନେ କହିଥିଲେ।

Related Articles

Back to top button