ମଣିପୁର ଯିବା ସମୟରେ ବାଟରେ ରାହୁଲଙ୍କୁ ଅଟକାଇଲା ପୋଲିସ
ଇମ୍ଫାଲ : ମଣିପୁରରେ ହିଂସା ଥମି ନ ଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଣିପୁରକୁ ଦୁଇ ଦିନିଆ ଗସ୍ତ କରିଛନ୍ତି ସେ। ହିଂସା ଯୋଗୁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଦୁଃଖ ବୁଝିବାକୁ ଯାଇଥିବାବେଳେ ପୁଲିସ୍ ତାଙ୍କୁ ଅଧା ବାଟରେ ଅଟକାଇଥିବା ଜଣାଯାଇଛି। ମଣିପୁର ଦଙ୍ଗାରେ ଶତାଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଏବେ ବି ୫୦ ହଜାର ଲୋକ ୩ଶହ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ସ୍ଥିତି ପରଖିବା ପାଇଁ ରାହୁଲ ଗାନ୍ଧି ଆଜି ମଣିପୁର ଗସ୍ତର ପ୍ରଥମ ଦିନରେ ଚୁରାଚାନ୍ଦପୁର ଯିବା ନିମନ୍ତେ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। କ୍ଷତିଗ୍ରସ୍ତ ହୋଇ ରିଲିଫ କ୍ୟାମ୍ପରେ ଆଶ୍ରୟ ନେଇଥିବା ବିସ୍ଥାପିତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ମାତ୍ର ଅଧାବାଟରୁ ରାହୁଲଙ୍କ କାର୍କୁ ପୁଲିସ୍ ଅଟକାଇଥିବା ସୂଚନା ମିଳିଛି। ପୁଲିସ କହିବା ଅନୁସାରେ ହିଂସା ଏବେ ବି ଥମିନି, ତେଣୁ ସେଠାକୁ ଗଲେ ରାହୁଲଙ୍କ ଉପରକୁ ଆକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହି ଦୃଷ୍ଟିରୁ ତାଙ୍କୁ ଅଟକାଯାଇଛି।