
ସାବଧାନ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରମୁଖ ଶରଦ ପାୱାର
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ପ୍ରମୁଖ ଶରଦ ପାୱାର ପହଲଗାମ ଆତଙ୍କୀ ହମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ପାକିସ୍ତାନ ବିରୋଧରେ ନିଆଯାଉଥିବା କଡା କାର୍ଯ୍ୟାନୁଷ୍ଠାନ ଉପରେ ସାବଧାନ ରହିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ସେ ଚେତାଇଛନ୍ତି ଯେ, ଏହି ଧରଣର ପଦକ୍ଷେପର ଜବାବରେ ପାକିସ୍ତାନ ଚୁପ ହୋଇ ବସିବ ନାହିଁ । ସିନ୍ଧୁଦୁର୍ଗରେ ଏକ କାର୍ଯ୍ୟକ୍ରମ ସମୟରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ପାୱାର ଏହା କହିଛନ୍ତି ।
ସେ କହିଛନ୍ତି, ଆଜି ଆମେ କିଛି ନିର୍ଣ୍ଣୟ ନେଉଛୁ, ମାତ୍ର ଆଗାମୀ ସମୟରେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେବ । ମୋତେ ଲାଗୁନି ପାକିସ୍ତାନ ଶାନ୍ତ ହୋଇ ବସିବ ବୋଲି । କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ ପାୱାର କହିଛନ୍ତି, ସରକାର କହୁଛନ୍ତି କାଶ୍ମୀରରେ ଆତଙ୍କବାଦ ସମାପ୍ତ ହୋଇଛି । ମାତ୍ର ଏହା ଦର୍ଶାଉଛି ଯେ, ସୁରକ୍ଷାରେ ବଡ ଧରଣର ତ୍ରୁଟି ହୋଇଛି । ଏହି ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତ ସମ୍ବନ୍ଧକୁ ଆହୁରି ବଢାଇ ଦେଇଛି । ଏହା ଦେଖିବାକୁ ପଡିବ ଯେ, ଦୁଇ ଦେଶ ଆଗାମୀ ପଦକ୍ଷେପ କଣ ନେଉଛନ୍ତି । କଣ କୌଣସି କୂଟନୀତି ସମାଧାନ ବାହାରି ପାରିବ ।ଶରଦ ପାୱାର ଶୁକ୍ରବାର କହିଛନ୍ତି ଯେ, ଏହି ଖବରର ସତ୍ୟତା ବିଷୟରେ ମୋତେ ଜଣା ନାହିଁ ଯେ, ପହଲଗାମରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମ ପଚାରି ହତ୍ୟା କରିଛନ୍ତି । ପହଲଗାମରେ ଏପ୍ରିଲ ୨୨ରେ ଘଟିଥିବା ଆତଙ୍କୀ ହମଲାରେ ଜୀବିତ ବଞ୍ଚିଥିବା ଅନେକ ଲୋକେ କହିଛନ୍ତି ଯେ, ଆତଙ୍କବାଦୀମାନେ ହିନ୍ଦୁଙ୍କୁ ଟାର୍ଗେଟ୍ କରିଥିଲେ । ତେବେ ଶରଦ ପାୱାରଙ୍କ ଏହି ବୟାନକୁ ନେଇ ରାଜନୀତି ପାରା ଚଢିବାର ସମ୍ଭାବନା ରହିଛି ।