ଅକ୍ଟୋବର ୧୭ ପର୍ଯ୍ୟନ୍ତ ବଢିଲା ସଞ୍ଜୟ ରାଓ୍ବତଙ୍କ ନ୍ୟାୟିକ ହେପାଜତ ଅବଧି

ମୁମ୍ବାଇ: ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଗିରଫ ହୋଇଥିବା ଶିବସେନା ନେତା ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ପୁଣି ବଢାଇଲେ ଅଦାଲତ। ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ସଞ୍ଜୟ ପୁଣି ନ୍ୟାୟିକ ହାଜତରେ ରହିବେ । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ବାରମ୍ବାର ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ବଢିବାରେ ଲାଗିଛି । ଚଳିତ ମାସ 4 ତାରିଖରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଆଜି (ଅକ୍ଟୋବର 10) ତାରିଖ ପର୍ଯ୍ୟନ୍ତ ଅଦାଲତ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରିଥିଲେ । ଆଜି ଏହି ଅବଧି ଶେଷ ହେବା ପରେ ତାଙ୍କୁ ପୁଣି କୋର୍ଟରେ ହାଜର କରାଯାଇଥିଲା । ତେବେ ଆଜି ମଧ୍ୟ ତାଙ୍କ ଜାମିନ ଆବେଦନ ଖାରଜ କରିବା ସହ ନ୍ୟାୟିକ ହାଜତ ଅବଧିକୁ 17 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ ।

ବହୁ ଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ୍‌ ସ୍କାମ୍‌ ମାମଲାରେ ଅଗଷ୍ଟ 1 ତାରିଖରେ ଗିରଫ ହୋଇଥିଲେ ଶିବସେନାର ଏହି ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ । ଗିରଫଦାରୀର ଗୋଟିଏ ଦିନ ପୂର୍ବରୁ ତଥା ଜୁଲାଇ 31 ତାରିଖରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବାସଭବନରେ ଚଢାଉ କରିଥିଲା । ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ଶେଷରେ ଗିରଫ କରିଥିଲା ED । ସେବେଠାରୁ ତାଙ୍କର ଜାମିନ ଆବେଦନ କ୍ରମାଗତ ଭାବେ ଖାରଜ ହେବାରେ ଲାଗିଛି ।

ଗିରଫ ହେବା ପୂର୍ବରୁ ଜୁନ 28 ତାରିଖରେ 1 ହଜାର 34 କୋଟି ଟଙ୍କା ଅନିୟମିତା ମାମଲାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନ ପାଇଥିଲେ ରାଉତ । ଗିରଫଦାରୀ ପୂର୍ବରୁ ତାଙ୍କ ବାସଭବନରେ ହୋଇଥିବା ଚଢାଉରେ ମାତ୍ର 11 ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ED । ପୂର୍ବରୁ ଏହି ମାମଲାରେ ଉଭୟ ରାଉତ ଦମ୍ପତିଙ୍କୁ ସମନ କରିବା ସହ ଏକାଧିକ ପର୍ଯ୍ୟାୟରେ କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା ।

ତାଙ୍କ ବିରୋଧରେ ଜାରି ରହିଥିବା କାର୍ଯ୍ୟାନୁଷ୍ଠାନକୁ ସଞ୍ଜୟ ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି କହିବା ସହ ବିଜେପି ଉପରେ ବର୍ଷିଥିଲେ । ତାଙ୍କୁ ବାସଭବନରେ ଏକାଧିକ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିବା ସମୟରେ ମଧ୍ୟ ଅତି ନାଟକୀୟ ଢଙ୍ଗରେ ଦମ୍ଭ ଦେଖାଇଥିଲେ ରାଉତ । ପୋଲିସ ଗାଡିରେ ମଧ୍ୟ ରୋଡ ଶୋ ଭଙ୍ଗୀରେ ଇଡି କାର୍ଯ୍ୟାଳୟକୁ ଯାଇଥିଲେ ।

Related Articles

Back to top button