
ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ସମାଲୋଚନା କରିବା ସହିତ ସମ୍ବିଧାନକୁ ଅଣଦେଖା କରୁଥିବା କହିଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିୟାଣାର ଯମୁନାନଗରରେ ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସକୁ ସମାଲୋଚନା କରିବା ସହିତ ସମ୍ବିଧାନକୁ ଅଣଦେଖା କରୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି କଂଗ୍ରେସ ସର୍ବଦା କ୍ଷମତା ହାସଲ ପାଇଁ ସମ୍ବିଧାନକୁ ହତିଆର ଭାବେ ବ୍ୟବହାର କରିଛି । ଏହି କଂଗ୍ରେସ ଚରମପନ୍ଥୀ ମୁସଲିମଙ୍କ ତୃଷ୍ଟୀକରଣ ପାଇଁ ୱାକଫ ଆକ୍ଟରେ ୨୦୧୩ରେ ସଂଶୋଧନ କରିଥିଲା । ପ୍ରଧାନମନ୍ତ୍ରୀ କହିଛନ୍ତି ନିର୍ବାଚନ ଜିତିବା ପାଇଁ କଂଗ୍ରେସ ଏମିତି କରିଥିଲା । ୱାକଫକୁ ଏମିତି ତିଆରି କରାଗଲା ଯେ, ସମ୍ବିଧାନ ବି ତା ଆଗରେ ଦୁର୍ବଳ ହୋଇଗଲା । କେବଳ ଏତିକି ନୁହେଁ ପିଏମ ମୋଦୀ କହିଛନ୍ତି, ଯଦି କଂଗ୍ରେସକୁ ମୁସଲିମ ଏତେ ଭଲ ପାଉଛି ତେବେ କୌଣସି ମୁସଲିମଙ୍କୁ କାହିଁକି ପାର୍ଟି ଅଧ୍ୟକ୍ଷ କରୁନାହିଁ । ନିର୍ବାଚନରେ ଅଧା ଟିକେଟ୍ ମୁସଲମାନଙ୍କୁ କାହିଁକି ଦେଉ ନାହିଁ ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, କଂଗ୍ରେସ ଜରୁରୀକାଳୀନ ସମୟରେ ସମ୍ବିଧାନର ବହୁତ ଅପମାନ କରିଛି । କଂଗ୍ରେସ କେବେ ବି ନ୍ୟାୟ ସଂହିତା, ସେକୁଲାର ସିଭିଲ କୋଡ ଲାଗୁ କରି ନାହିଁ । ଉତ୍ତରାଖଣ୍ଡରେ ବିଜେପି ସରକାରକୁ ଆସିବା ପରେ ସେଠାରେ ସେକୁଲାର ସିଭିଲ କୋଡ୍ ଲାଗୁ ହୋଇଛି । ଆଉ ଦୁର୍ଭାଗ୍ୟର କଥା ସମ୍ବିଧାନକୁ ନିଜର ପକେଟରେ ଧରି ବୁଲୁଥିବା ଲୋକ ଏହାର ବିରୋଧ କରୁଛନ୍ତି । କଂଗ୍ରେସ ତ କର୍ଣ୍ଣାଟକରେ ଟେଣ୍ଡରରେ ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥା କରିଦେଲା । ଏହା ତ ସମ୍ବିଧାନର ପ୍ରାବଧାନରେ ବି ନାହିଁ । ଏହା ଉପରେ ବାବାସାହେବ ଭୀମରାଓ ଆମ୍ବେଦକର ମଧ୍ୟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ।