ବାରାଣାସୀରୁ ଯାତ୍ରା ଆରମ୍ଭ କଲା ବିଶ୍ୱର ସବୁଠୁ ବଡ ଜାହାଜ ‘ଗଙ୍ଗାବିଳାସ’

ବାରାଣାସୀ: ଦୁନିଆର ସବୁଠୁ ବଡ ନଦୀପୋତ ଏମ୍ ଭି ଗଙ୍ଗାବିଳାସ ଆଜି ଯାତ୍ରା ଆରମ୍ଭ କରିଛି । ବାରାଣାସୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ।

ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉଡ଼ା ୧୨ ମିଟର ଓ ଉଚ୍ଚତା ୯ ମିଟର ରହିଛି।  ଏହି କ୍ରୁଜରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ସହିତ ଖାଦ୍ୟପ୍ରେମୀମାନଙ୍କ ପାଇଁ ଭାରତର ପାରମ୍ପରିକ ଖାଦ୍ୟର ବ୍ୟବସ୍ଥା ରହିଛି । ବିଶ୍ୱର ସର୍ବଶ୍ରେଷ୍ଠ ପ୍ରଦର୍ଶନୀରେ ଦେଶକୁ ପ୍ରଦର୍ଶନ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ଏହି କ୍ରୁଜ୍ ୫୧ ଦିନିଆ ଯାତ୍ରାରେ ବିଶ୍ୱ ଐତିହ୍ୟ ସ୍ଥଳ, ଜାତୀୟ ଉଦ୍ୟାନ, ନଦୀ ଘାଟ ଏବଂ ବିହାରର ପାଟନା, ଝାଡଖଣ୍ଡର ସାହିବଗଞ୍ଜ, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶର ଢାକା ଏବଂ ଆସାମର ଗୁଆହାଟି ସମେତ ପ୍ରାୟ ୫୦ଟି ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାକୁ ଯୋଜନା କରାଯାଇଛି।

ଉତ୍ତରପ୍ରଦେଶର ବାରାଣାସୀରୁ ଯାତ୍ରା ଆରମ୍ଭ କରି ଏମ.ଭି ଗଙ୍ଗା ଭିଲାସ ୫୧ ଦିନ ମଧ୍ୟରେ ପ୍ରାୟ ୩,୨୦୦ କିଲୋମିଟର ଯାତ୍ରା କରିବ ।  ଭାରତ ଏବଂ ବାଂଲାଦେଶର ୨୭ ଟି ନଦୀ ପାର ହୋଇ ଆସାମର ଡିବ୍ରୁଗଡରେ ପହଞ୍ଚିବ। ଏଥିରେ ସମସ୍ତ ବିଳାସପୂର୍ଣ୍ଣ ସୁବିଧା ସହିତ ତିନୋଟି ଡେକ୍, ୩୬ ପର୍ଯ୍ୟଟକଙ୍କ କ୍ଷମତା ବିଶିଷ୍ଟ ୧୮ ଟି ସୁଟ୍ ରହିଛି । ସେତିକି ନୁହେଁ, କ୍ରୁଜରେ ସ୍ପା, ସେଲୁନ ଓ ଜିମ ରହିଛି। ମନୋରଞ୍ଜ ପାଇଁ ନାଚଗୀତର କାର୍ଯ୍ୟକ୍ରମ ବ୍ୟବସ୍ଥା ମଧ୍ୟ ରହିଛି । ଯାତ୍ରା ବେଳେ ଭାରତର ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିପାରିବେ। ଗଙ୍ଗା କୂଳରେ ହେଉଥିବା ଆଳତି ଓ ଯୋଗାଭ୍ୟାସର ମଜା ମଧ୍ୟ ପର୍ଯ୍ୟଟକ ଉଠାଇ ପାରିବେ।

ଏଥିରେ ଦୈନିକ ଯାତ୍ରା ଭଡା ରହିଛି ୨୫ରୁ ୫୦ ହଜାର ଟଙ୍କା।  ୫୧ ଦିନ ଯାତ୍ରା ପାଇଁ ଜଣେ ଯାତ୍ରୀଙ୍କୁ  ୨୦ ଲକ୍ଷ ଟଙ୍କା ଦେବାକୁ ପଡିବ । ଜାହାଜରେ ପ୍ରଦୂଷଣ ନିୟନ୍ତ୍ରଣ ଓ ଶବ୍ଦ ନିୟନ୍ତ୍ରଣ ଟେକ୍ନୋଲୋଜି ରହିଥିବା କ୍ରୁଜର ନିର୍ଦ୍ଦେଶକ ରାଜ ସିଂହ କହିଛନ୍ତି ।  ତେବେ ପ୍ରଥମେ ଏଥିରେ ସ୍ୱିଜରଲ୍ୟାଣ୍ଡର ୩୨ ପର୍ଯ୍ୟଟକ ଯାତ୍ରା ପାଇଁ ଯାଉଛନ୍ତି ।

Related Articles

Back to top button