ମହାକୁମ୍ଭ ଦୁର୍ଘଟଣାସ୍ଥଳରେ ଯାଞ୍ଚ ଆରମ୍ଭ କଲା ପୋଲିସ୍ ପ୍ରସାଶନ
ଉତ୍ତରପ୍ରଦେଶ ମୁଖ୍ୟ ଶାସନ ସଚିବ ମନୋଜ କୁମାର ସିଂହ ଏବଂ ଡିଜିପି ପ୍ରଶାନ୍ତ କୁମାର ଆଜି ପ୍ରୟାଗରାଜର ମହାକୁମ୍ଭସ୍ଥିତ ସଙ୍ଗମ ଘାଟ ପରିଦର୍ଶନ କରି ଗତକାଲି ୩୦ ଜଣଙ୍କ ଜୀବନ ଯାଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଗତକାଲି ସଙ୍ଗମ ନିକଟ ଆଖଡ଼ା ରାସ୍ତାରେ ଏହି ଦୁଃଖଦ ଘଟଣା ଘଟିଛି। ଗସ୍ତ ସମୟରେ ସେମାନେ ସ୍ଥିତି ଅନୁଧ୍ୟାନ କରିବା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ମେଳା ଅଧିକାରୀ ବିଜୟ କିରଣ ଆନନ୍ଦ ଓ ଡିଆଇଜି ବୈଭବ କ୍ରିଷ୍ଣା ଉପସ୍ଥିତ ଥିଲେ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ପରିସ୍ଥିତିର ଆକଳନ କରି ଘଟଣାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଉଭୟ ଅଧିକାରୀ ମେଳା ଅଞ୍ଚଳ ଉପରେ ନଜର ରଖିବା ପାଇଁ ନିର୍ମିତ ୱାଚ୍ ଟାୱାରରେ ପହଞ୍ଚିଥିଲେ ଯେଉଁଠାରେ ଡିଆଇଜି କ୍ରିଷ୍ଣା ସେମାନଙ୍କୁ ଦୁର୍ଘଟଣା ବିଷୟରେ ଜଣାଇଥିଲେ। ମୁଖ୍ୟ ଶାସନ ସଚିବ ଓ ଡିଜିପି ମେଳା ଅଞ୍ଚଳରେ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ବସନ୍ତ ପଞ୍ଚମୀ ସ୍ନାନ ମହୋତ୍ସବର ପ୍ରସ୍ତୁତିର ସମୀକ୍ଷା ସହ ଘଟଣାପଛର କାରଣ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ମୌନି ଅମାବାସ୍ୟା ସ୍ନାନ ମହୋତ୍ସବରେ ବ୍ୟାରିକେଡ୍ ଭୁଶୁଡ଼ି ପଡ଼ିବାରୁ ୩୦ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୬୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାର କାରଣ ଅନୁସନ୍ଧାନ ପାଇଁ ଯୋଗୀ ଏକ ତିନି ଜଣିଆ ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଛନ୍ତି।