ପୋଲିସ ଥାନାକୁ ସରକାରୀ ଗୋପନୀୟତା ଅଧିନିୟମରେ ପରିଭାଷିତ ନିଷିଦ୍ଧ ସ୍ଥାନରେ ସାମିଲ କରାଯାଇ ନାହିଁ – ବମ୍ବେ ହାଇକୋର୍ଟ

ମୁମ୍ବାଇ: ପୋଲିସ ଥାନାକୁ ସରକାରୀ ଗୋପନୀୟତା ଅଧିନିୟମରେ ପରିଭାଷିତ ନିଷିଦ୍ଧ ସ୍ଥାନରେ ସାମିଲ କରାଯାଇ ନାହିଁ। ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠ ଏହା କହିଛନ୍ତି। ଏଣୁ ଥାନାର ଭିଡିଓ ରେକର୍ଡିଂକୁ ଅପରାଧ ଶ୍ରେଣୀରେ ରଖା ଯାଇ ନପାରେ ବୋଲି ପୀଠ ସ୍ପଷ୍ଟ କରିଦେଇଛନ୍ତି। ପୀଠଙ୍କ ବିଚାରପତି ଜଷ୍ଟିସ୍ ମନିଷ ପିଟାଲେ ଓ ଜଷ୍ଟିସ୍ ବାଲ୍ମିକୀ ମେନେଜେସ୍ ପୋଲିସ ଥାନା ଭିତରେ ଭିଡିଓ ରେକର୍ଡିଂକୁ ନେଇ ସରକାରୀ ଗୋପନୀୟତା ଅଧିନିୟମ (ଓଏସଏ)ରେ ରବିନ୍ଦ୍ର ଉପାଧ୍ୟାୟ ନାମକ ଜନୈକ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ମାମଲାକୁ ଖାରଜ କରିଦେଇଛନ୍ତି।

ପୀଠ ତାଙ୍କ ଆଦେଶରେ ଓଏସଏର ଧାରା ୩ ଓ ଧାରା ୨(୮)ର ଉଦାହରଣ ଦେଇଥିଲେ, ଯାହା ନିଷିଦ୍ଧ ସ୍ଥାନରେ ଗୋଇନ୍ଦାଗିରି ସମ୍ବଦ୍ଧିତ। ତେବେ ପୋଲିସ ଥାନା ଏହି ଅଧିନିୟମରେ ବିଶେଷ ରୂପେ ଉଲ୍ଲେଖିତ ନିଷିଦ୍ଧ ସ୍ଥାନ ନୁହେଁ ବୋଲି ପୀଠ କହିଛନ୍ତି।  ତେବେ କୋର୍ଟ ସରକାରୀ ଗୋପନୀୟତା ଅଧିନିୟମ ଧାରା ୨(୮) ନିଷିଦ୍ଧ ସ୍ଥାନର ଯେଉଁ ପରିଭାଷା ଦିଆଯାଇଛି ତାହା ପ୍ରାସଙ୍ଗିକ ବୋଲି କହିଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ପରିଭାଷା ଯେଉଁଥିରେ କୌଣସି ସ୍ଥାନ ଅଥବା ପ୍ରତିଷ୍ଠାନ ରୂପେ ପୋଲିସ ଥାନାକୁ ସାମିଲ କରାଯାଇ ନାହିଁ।

ଏଣୁ ଉପରୋକ୍ତ ପ୍ରାବଧାନକୁ ବିଚାର କରି ବ୍ୟକ୍ତିଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇ ପାରୁନଥିବା କୋର୍ଟ କହିଛନ୍ତି।  ମାମଲାରୁ ପ୍ରକାଶ ଯେ ଉପାଧ୍ୟାୟ ତାଙ୍କ ପଡୋଶୀଙ୍କ ସହିତ ହୋଇଥିବା ବିବାଦ ଯୋଗୁ ପତ୍ନୀଙ୍କ ସହ ୱର୍ଦ୍ଧା ଥାନାକୁ ଯାଇଥିଲେ। ଉପାଧ୍ୟାୟ ପଡ଼ୋଶୀଙ୍କ ବିରୋଧରେ ଏକ ଏତଲା ଦେଇଥିଲେ। ସେଠାରେ ଉପାଧ୍ୟାୟଙ୍କ ବିରୋଧରେ ମଧ୍ୟ ଏକ ଏତଲା ରୁଜୁ ହୋଇଥିଲା। କାରଣ ଏହି ସମୟରେ ଉପାଧ୍ୟାୟ ପୋଲିସ ଥାନାରେ ହେଉଥିବା ଚର୍ଚ୍ଚାକୁ ତାଙ୍କ ମୋବାଇଲ ଫୋନରେ ଭିଡିଓ ରେକର୍ଡିଂ କରୁଥିବା ପୋଲିସ ଅନୁଭବ କରିଥିଲା।

ଏଥିରେ ପୋଲିସ ଉପାଧ୍ୟାୟଙ୍କ ଅଭିଯୋଗକୁ ରଦ୍ଦ କରିବା ସହ ତାଙ୍କ ବିରୋଧରେ ଗୋପନୀୟତା ଅଧିନିୟମ ଆଇନ ଧାରାରେ ଥାନାରେ ଭିଡିଓ ରେକର୍ଡିଂ କରୁଥିବାର ଅଭିଯୋଗ ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲା।

Related Articles

Back to top button