ଏକ ବିରଳ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି ପ୍ରସିଦ୍ଧ ଗାୟିକା ଅଲ୍‌କା ୟାଗ୍ନିକ

ପ୍ରସିଦ୍ଧ ଗାୟିକା ଅଲ୍‌କା ୟାଗ୍ନିକ ବିରଳ ସ୍ଵାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ପ୍ରାୟ ୪ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ ଧରି ନିଜ ଗୀତ ଜରିଆରେ ଲୋକଙ୍କ ମନୋରଞ୍ଜନ କରି ଆସୁଥିବା ଅଲ୍‌କା ୟାଗ୍ନିକ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ଏନେଇ ସୂଚନା ଦେଇଛନ୍ତି।ଏକ ପୋଷ୍ଟରେ ଅଲ୍‌କା ଲେଖିଛନ୍ତି ଯେ, ସେ ଏକ ବିରଳ ଶାରୀରିକ ସମସ୍ୟାର ଶିକାର ହୋଇଛନ୍ତି, ଯାହା ତାଙ୍କ ଶ୍ରବଣ ଶକ୍ତିକୁ ପ୍ରଭାବିତ କରୁଛି। ଡାକ୍ତରଙ୍କ ମୁତାବକ, ଏକ ସଂକ୍ରମଣ କାରଣରୁ ତାଙ୍କଠାରେ ଏହି ସମସ୍ୟା ଦେଖାଦେଇଛି। ସେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।

ନିଜ ସ୍ଵାସ୍ଥ୍ୟ ସମୟରେ ସୂଚନା ଦେଇ ଅଲ୍‌କା ଲେଖିଛନ୍ତି, କିଛି ସପ୍ତାହ ପୂର୍ବରୁ ଏକ ବିମାନରୁ ଓହ୍ଲାଇବା ପରେ ହଠାତ୍ ତାଙ୍କ ଶ୍ରବଣ ଶକ୍ତି କମିଯାଇଥିବା ସେ ଅନୁଭବ କଲେ। ଆହୁରି କହିଛନ୍ତି ଯେ, କିଛି ସପ୍ତାହ ଧରି ଏହାକୁ ସ୍ଵୀକାର କରିବାକୁ ସାହସ ଜୁଟାଇବା ପରେ ସେ ବର୍ତ୍ତମାନ ଲୋକମାନଙ୍କୁ ଏ ବିଷୟରେ ଜଣାଇବାକୁ ଚାହୁଁଛନ୍ତି, ଯେଉଁମାନେ କିଛିଦିନ ଧରି ତାଙ୍କ ଅନୁପସ୍ଥିତିକୁ ନେଇ ଚିନ୍ତିତ ଥିଲେ। ସେ ଲୋକମାନଙ୍କୁ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି। ଏଥିସହ ସେ ଉଚ୍ଚ ସ୍ୱର ଏବଂ ହେଡଫୋନର ଅତ୍ୟଧିକ ବ୍ୟବହାର ବିଷୟରେ ଲୋକଙ୍କୁ ସଚେତନ ମଧ୍ୟ କରିଛନ୍ତି।ଅଲ୍‌କା ୟାଗ୍ନିକଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ପାଇବା ମାତ୍ରେ ପ୍ରଶଂସକଙ୍କ ସମେତ ଅନେକ ତାରକା ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Related Articles

Back to top button