ଚିଠି ପହଞ୍ଚାଇବା ପାଇଁ ପାହାଡିଆ ରାସ୍ତାରେ ୩୨ କିଲୋମିଟର ଚାଲୁଥିବା ପୋଷ୍ଟମ୍ୟାନ ପ୍ରେମଲାଲଙ୍କୁ ମିଳିଲା ମେଘଦୂତ ପୁରସ୍କାର

ମେଘଦୂତ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ

ନିଜ ମନର କଥା ହେଉ କି ସମ୍ପର୍କୀୟଙ୍କୁ ମନିଅର୍ଡର ପଠାଇବା ପାଇଁ ଏବେ ବି ଚିଠିର ବ୍ୟବହାର ଚାଲିଛି। ଆଜିକାଲି ମୋବାଇଲ ଯୁଗରେ ଯେଉଁଠି ମୋବାଇଲ ନେଟୱାର୍କଟିଏ ମଧ୍ୟ ନାହିଁ, ଚିଠି ହିଁ ବାର୍ତ୍ତା ପ୍ରେରଣର ମାଧ୍ୟମ ପାଲଟିଛି। ଆଉ ପ୍ରତିଦିନ ସକାଳେ ଚିଠି, ମନିଅର୍ଡର ସହ ପାର୍ସଲ ନିଜ ବ୍ୟାଗରେ ପୁରାଇ ବାଣ୍ଟିବାକୁ ବାହାରିଯାଆନ୍ତି ଏହି ପୋଷ୍ଟମ୍ୟାନ। ପାହାଡ ଉପରେ ଥିବା ଗାଁଗୁଡିକୁ ଏଯାଏଁ ରାସ୍ତା ନଥିବାରୁ ଚାଲି ଚାଲି ଯାଇଥାନ୍ତି ଏହି ପୋଷ୍ଟମ୍ୟାନ। ନା ବର୍ଷା ନା ଖରା ପ୍ରତିଦିନ ପ୍ରାୟ ୩୨କିଲୋମିଟର ଚାଲି ଚାଲି ଅପହଞ୍ଚ ଅଂଚଳର ଲୋକଙ୍କ ପାଖରେ ପହଞ୍ଚିଯାଆନ୍ତି ହିମାଚଳପ୍ରଦେଶ ଲାହଲର ପୋଷ୍ଟମ୍ୟାନ ପ୍ରେମଲାଲ। ଆଉ ଏଭଳି ମହନୀୟ କାର୍ଯ୍ୟ ପାଇଁ ପୋଷ୍ଟ ବିଭାଗର ସମ୍ମାନଜନକ ପୁରସ୍କାର ମେଘଦୂତ ସମ୍ମାନରେ ଆଜି ତାଙ୍କୁ ସମ୍ମାନିତ କରାଯାଇଛି।

ସୂଚନା ମୁତାବକ ଲାହଲ ପୋଷ୍ଟ ଅଫିସ ଅଧୀନରେ ପ୍ରାୟ ୩୨ କିଲୋମିଟର ଦୂରତା ଅଂଚଳ ମଧ୍ୟ ଆସିଥାଏ | ଆଉ ପୋଷ୍ଟମ୍ୟାନ୍ ପ୍ରେମଲାଲଙ୍କ ଯେଉଁଠାକୁ ଚିଠି ବାଣ୍ଟିବାକୁ ଯାଇଥାନ୍ତି, ସେଠାରେ ବର୍ଷର ଅଧିକାଂଶ ସମୟ ବରଫରେ ଆବୃତ ହୋଇଥାଏ | ବେଳେବେଳେ ଏହି ଅଞ୍ଚଳରେ ମାଟି ଅତଡ଼ା ସହ ପଥର ମଧ୍ୟ ଖସିପଡିଥାଏ |

ଏହି ବିପଦପୂର୍ଣ୍ଣ ପଥରେ ପ୍ରେମଲାଲ ପ୍ରତ୍ୟେକ ଦିନ ନିରବଚ୍ଛିନ୍ନ ଭାବରେ ତାଙ୍କର ଯାତ୍ରା କରନ୍ତି | ଏହି ଅଞ୍ଚଳ ସମୁଦ୍ର ପତ୍ତନଠାରୁ ୯୦୦୦ ଫୁଟରୁ ଅଧିକ ଉଚ୍ଚରେ ଥିବାବେଳେ ରାସ୍ତା ନଥିବାରୁ ପ୍ରତିଦିନ ୩୨ କିଲୋମିଟର ଚାଲିଚାଲି ସେ ଯାଇଥାନ୍ତି | ସୂଚନା ଥାଉ କି ଯେ ୧୯୮୪ ମସିହାରୁ ମେଘଦୂତ ପୁରସ୍କାର ଦିଆଯାଇଆସୁଛି | ପ୍ରେମଲାଲଙ୍କ ବ୍ୟତୀତ ଏହି ଅବସରରେ ମେଘଦୂତ ପୁରସ୍କାର ପାଇଥିବା କର୍ମଚାରୀଙ୍କ ମଧ୍ୟରେ ଓଡିଶା କଟକର ବାଙ୍କୀ ତୁଳସୀପୁର ଡାକଘରର ପୋଷ୍ଟମାଷ୍ଟର ଅଶୋକ କୁମାର ସାହୁ ଅଛନ୍ତି |

Related Articles

Back to top button