ଏସିଆ କପ୍‌ ସୁପର-୪ରେ ଭାରତ

ଦୁବାଇ: ଏସିଆ କପ୍‌ ଟି୨୦ କ୍ରିକେଟ ହଂକଂ ବିପକ୍ଷ ଅନ୍ତିମ ଲିଗ୍‌ ମ୍ୟାଚରେ ବିଜୟ ସହିତ ସୁପର୍‌ -୪ରେ ପ୍ରବେଶ କରିଛି ଭାରତ। ସୂର୍ଯ୍ୟକୁମାର ଓ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୯୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ହଂକଂ ୫ ଉଇକେଟ ବିନିମୟରେ ୧୫୨ ରନ କରି ବିଜୟଠାରୁ ୪୦ ରନ ଦୂରରେ ରହିଯାଇଥିଲା। ଟସହାରି ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ଦୁଇ ଓପନର ରୋହିତ ଓ ରାହୁଲ ସତର୍କତାର ସହିତ ବ୍ୟାଟିଂ କରିଥିଲେ। ରୋହିତ ଶର୍ମା ସାମାନ୍ୟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ହେଁ ରାହୁଲ ଫର୍ମ ପାଇଁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ରୋହିତ ୧୩ ବଲ ଖେଳି ୨ ଚୌକା ଓ ୧ ଛକା ସହିତ ୨୧ ରନ କରି ପ୍ୟାଭିଲିୟନ୍‌ ଫେରିଥିଲେ। ରାହୁଲ ୩୬ ରନର ଇନିଂସ ଖେଳିବା ପାଇଁ ୩୯ ବଲର ସାହାରା ନେଇଥିଲେ। ଆଉଟ ହେବା ପୂର୍ବରୁ ସେ ବିରାଟ କୋହଲିଙ୍କ ସହିତ ୫୬ରନର ଭାଗୀଦାରି କରିଥିଲେ। ଏହାପରେ କୋହଲି ଓ ସୂର୍ଯ୍ୟକୁମାର ଅବିଭାଜିତ ୯୮ ରନ ଯୋଡିବା ସହିତ ଭାରତର ସ୍କୋର ୧୯୨ରେ ପହଞ୍ଚାଇଥିଲେ। ଅନ୍ତିମ ୭ ଓଭରରେ ଉଭୟ ଓଭର ପିଛା ୧୪ ରନ୍‌ହାରରେ ରନ୍‌ ସଂଗ୍ରହ କରିଥିଲେ। କୋହଲି ଷ୍ଟ୍ରାଇକ ରୋଟେଟ କରି ଖେଳୁଥିବା ବେଳେ ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରିଥିଲେ। କୋହଲି ୪୪ ବଲ ଖେଳି ୫୯ ରନ କରିଥିବା ବେଳେ ଏଥିରେ ସାମିଲ ଥିଲା ୧ ଚୌକା ଓ ୩ ଛକା। ମାତ୍ର ୨୬ ବଲ ଖେଳି ୬୮ ରନର ଧୂଆଁଧାର ଇନିଂସ ଖେଳିଥିଲେ ଯାଦବ। ଏହି ଇନିଂସରେ ୬ଟି ଲେଖାଏ ଛକା ଓ ଚୌକା ସାମିଲ ଥିଲା। ଯାଦବ ଅନ୍ତିମ ଓଭରରୁ ୨୬ ରନ୍‌ ସଂଗ୍ରହ କରିଥିଲେ। ଏହି ଓଭରରୁ ହ୍ୟାଟ୍ରିକ ସହିତ ମାରିଥିଲେ ୪ ଛକା। ପ୍ରଥମ ୩ ବଲରୁ ୩ ଛକା ମାରି ହ୍ୟାଟ୍ରିକ ପୂରଣ କରିଥିବା ବେଳେ ପରବର୍ତ୍ତୀ ବଲରୁ କୌଣସି ରନ ସଂଗୃହୀତ ହୋଇ ନ ଥିଲା। ଅନ୍ତିମ ଦୁଇ ବଲରେ ଗୋଟିଏ ଛକା ଓ ଦୁଇ ରନ୍‌ ହାସଲ କରିଥିଲେ ଯାଦବ। ହଂକଂ ପକ୍ଷରୁ ଆୟୁଷ ଶୁକ୍ଲା ଓ ମହମ୍ମଦ ଘଜନଫର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ହଂକଂ ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ବାବର ହାୟାତ ସର୍ବାଧିକ ୪୧ ରନ୍‌ କରିଥିବା ବେଳେ କିଞ୍ଚିତ ଶାହ ୩୦ ରନ କରିଥିଲେ। ଶେଷ ଆଡକୁ ଜିଶାନ ଅଲି(୨୬) ଓ ସ୍କଟ ମ୍ୟାକେଞ୍ଜି(୧୬) ଦ୍ରୁତ ବ୍ୟାଟିଂ କରିଥିଲେ ହେଁ ଦଳ ୧୫୨ରେ ସୀମିତ ରହିଯାଇଥିଲା। ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ରବୀନ୍ଦ୍ର ଜାଡେଜା ଓ ଆଭେଶ ଖାନ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଘୋଷଣା କରା ଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୯୨/୨ (ସୂର୍ଯ୍ୟକୁମାର ଯାଦବ-୬୮*, ବିରାଟ କୋହଲି-୫୯*, ଲୋକେଶ ରାହୁଲ-୩୬, ମହମ୍ମଦ ଘଜନଫର-୧/୧୯, ଆୟୁଷ ଶୁକ୍ଲା-୧/୨୯)। ହଂକଂ ୨୦ ଓଭରରେ ୧୫୨/୫ (ବାବର ହାୟତ-୪୧, କିଞ୍ଚିତ ଶାହ-୩୦, ଜିଶାନ ଅଲି-୨୬*, ଅର୍ଶଦୀପ ସିଂ-୧/୪୪, ରବୀନ୍ଦ୍ର ଜାଡେଜା -୧/୧୫, ଭୁବନେଶ୍ୱର କୁମାର-୧/୧୫)।

Related Articles

Back to top button