ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଇସ୍ତଫା ମଞ୍ଜୁର କରିଛନ୍ତି । ଧନଖଡ ଗୋଟିଏ ଦିନ ପୂର୍ବେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ, ଯାହାକୁ ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୬୭(ଏ) ଆଧାରରେ ତତ୍କାଳ ପ୍ରଭାବରୁ ସ୍ୱୀକାର କରିଛନ୍ତି । ଧନଖଡଙ୍କ ଇସ୍ତଫା ପରେ ଏବେ ନୂଆ ଉପରାଷ୍ଟ୍ରପତିର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମ୍ବନ୍ଧରେ ବିଜ୍ଞପ୍ତି ଜାରି ହେବ ଏବଂ ଏହା ପରେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବ ।

ଋାଷ୍ଟ୍ରପତି ଇସ୍ତଫା ସ୍ୱୀକାର କରିବା ପରେ ସାମ୍ବିଧାନିକ ପ୍ରକ୍ରିୟା ଆଧାରରେ ରାଜ୍ୟସଭାର ଅଧ୍ୟକ୍ଷ ପଦ ଖାଲି ହୋଇ ଯାଇଛି । ନୂଆ ଉପରାଷ୍ଟ୍ରପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଶୀଘ୍ର ଆରମ୍ଭ ହୋଇପାରେ । ଏହା ଭାରତୀୟ ଇତିହାସରେ ତୃତୀୟ ଥର ଘଟିଛି, ଯେଉଁଠି ଉପରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ପୂରିବା ପୂର୍ବରୁ ଇସ୍ତଫା ଦିଆଯାଇଛି । ଏହା ପୂର୍ବରୁ ଭିବି ଗିରି ଓ କୃଷ୍ଣାକାନ୍ତ ନିଜର କାର୍ଯ୍ୟକାଳ ସରିବା ପୂର୍ବରୁ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ।ଧନଖଡଙ୍କ କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ପର୍ଯ୍ୟନ୍ତ ଥିଲା । ଅର୍ଥାତ ସେ ଆହୁରି ଦୁଇ ବର୍ଷ ଏହି ପଦରେ ରହିଥାନ୍ତେ । କିନ୍ତୁ ସୋମବାର ଅଚାନକ ତାଙ୍କର ଇସ୍ତଫା ଦେବା ଅନେକ ପ୍ରକାରର କଳ୍ପନା ଜଳ୍ପନା ଓ ଚର୍ଚ୍ଚାକୁ ଜନ୍ମ ଦେଇଛି । ସେ ନିଜର ଇସ୍ତଫା ପତ୍ରରେ ସ୍ୱାସ୍ଥ୍ୟଗତ ସମସ୍ୟା, ସ୍ୱାସ୍ଥ୍ୟର ଯତ୍ନ ନେବା ଉଲ୍ଲେଖ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରିମଣ୍ଡଳ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ୨୦୨୨ରେ ଜଗଦୀପ ଧନଖଡଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଅଗଷ୍ଟ ୬ରେ ହୋଇଥିବା ନିର୍ବାଚନରେ ଧନଖଡ ବିରୋଧୀ ପ୍ରାର୍ଥୀ ମାର୍ଗରେଟ୍ ଆଲଭାଙ୍କୁ ବହୁ ବ୍ୟବଧାନରେ ହରାଇଥିଲେ । ଧନଖଡଙ୍କୁ ମୋଟ୍ ୫୨୮ ଭୋଟ୍ ମିଳିଥିବା ବେଳେ ମାର୍ଗରେଟଙ୍କୁ କେବଳ ୧୮୨ ଭୋଟ୍ ମିଳିଥିଲା । ଏହା ପରେ ସେ ୨୦୨୨ ଅଗଷ୍ଟ ୧୦ ତାରିଖରେ ଦେଶର ୧୪ତମ ଉପରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।

Related Articles

Back to top button