ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡିଶା ଗସ୍ତ ଓ କାର୍ଯ୍ୟକ୍ରମ ସୂଚୀରେ ହୋଇଛି ସାମାନ୍ୟ ପରିବର୍ତ୍ତନ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଓଡିଶା ଗସ୍ତ ଓ କାର୍ଯ୍ୟକ୍ରମ ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ୨୩ ପରିବର୍ତ୍ତେ ୨୪ ତାରିଖରେ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂର୍ବ ସୂଚୀରେ ଏଥିପାଇଁ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ରେଳବାଇ, ଜିଲ୍ଲା ଓ ପୋଲିସ ପ୍ରଶାସନ ମିଳିତ ଭାବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମର ବ୍ୟବସ୍ଥା କରୁଛନ୍ତି ।ବାଙ୍ଗିରିପୋଷିରେ ତିନୋଟି ନୂତନ ରେଳପଥ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ରାଷ୍ଟ୍ରପତି । ସେଗୁଡ଼ିକ ହେଲା ବାଦାମପାହାଡ଼-କେନ୍ଦୁଝର ରେଳ‌ ସଂଯୋଗୀକରଣ, ଗୋରୁମହିଷାଣୀ- ବାଙ୍ଗିରିପୋଷି ରେଳ ସଂଯୋଗୀକରଣ ଏବଂ ବୁଡାମୋରା-ଝାଡ଼ଖଣ୍ଡ ଚାକୁଳିଆ ରେଳ ସଂଯୋଗୀକରଣ । ତେବେ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ଘୋଷଣା ସରିଥିବା ବେଳେ, ବୁଡାମୋରା-ଝାଡ଼ଖଣ୍ଡ ଚାକୁଳିଆ ରେଳ ସଂଯୋଗୀକରଣ ପ୍ରକଳ୍ପ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମକୁ ବାତିଲ କରାଯାଇପାରେ । ସେପଟେ ରେଳ ବିଭାଗ ସହ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି । ଗତ କିଛିଦିନ ପୂର୍ବରୁ ଦକ୍ଷିଣ-ପୂର୍ବ ରେଳବାଇ ଜିଏମ ଅନିଲ କୁମାର ମିଶ୍ର ବାଙ୍ଗିରିପୋଷି ଗସ୍ତ କରିଥିଲା ବେଳେ ପୁଣି ଗତକାଲି (ବୁଧବାର) ଏକ ସ୍ଵତନ୍ତ୍ର ଟ୍ରେନ ଯୋଗେ ବାଙ୍ଗିରିପୋଷି ଗସ୍ତରେ ଆସି ବ୍ୟବସ୍ଥାର ତଦାରଖ କରିଥିଲେ ।

ଏଡିଜି ଦୟାଲ ଗଙ୍ଗୱାର ମଧ୍ୟ ବାଙ୍ଗିରିପୋଷିରେ ପହଞ୍ଚି ପ୍ରସ୍ତୁତି ଓ ସୁରକ୍ଷା ତଦାରଖ କରିଛନ୍ତି । ନିର୍ମାଣାଧୀନ ହେଲିପ୍ୟାଡ ନିରୀକ୍ଷଣ କରିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସାଏ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲିଙ୍କ ସହ ଆଲୋଚନା କରିଥିଲେ । ସେହିପରି ଷ୍ଟେସନ ନିକଟସ୍ଥ ମିନି-ଷ୍ଟାଡିୟମଠାରେ ହେବାକୁ ଥିବା କାର୍ଯ୍ୟକ୍ରମର ଆୟୋଜନ ସ୍ଥାନ, ପାର୍କିଂ ବ୍ୟବସ୍ଥା, ଯାନବାହାନ ଓ ଭିଡ ନିୟନ୍ତ୍ରଣ କିପରି ସୁରୁଖୁରୁରେ ହୋଇ ପାରିବ ସହ ଶାନ୍ତି ଶୃଙ୍ଖଳା ଓ ଅତିଥୀମାନଙ୍କର ସୁରକ୍ଷା ସମ୍ପର୍କରେ ଜିଲ୍ଲାପାଳ, ଏସପି ଏବଂ ରେଳ ବିଭାଗର ‘ଏଡିଆରଏମ’ଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମରେ ସାମିଲ ହେବେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତିଙ୍କ ପରିଦର୍ଶନ ସମୟରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, ସାରସକଣା ବିଧାୟକ ଭାଦବ ହାଁସଦା ମଧ୍ୟ ଉପସ୍ଥିତ ରହିଥିଲେ । ପ୍ରକାଶଯୋଗ୍ୟ, ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ବେଳେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ମାନଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ଲୋକସଭା ଓ ରାଜ୍ୟସଭା ଦୁଇ ସାଂସଦ, କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଳାର ଲୋକସଭା ସାଂସଦ, ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକାମାନଙ୍କ ସହ ବହୁ ବରିଷ୍ଠ ଅଧିକାରୀ, ନେତା ତଥା ରେଳ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button