୮ ଜଣଙ୍କୁ କୀର୍ତ୍ତିଚକ୍ର, ୨୯ ଜଣଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସେନା, ଅର୍ଦ୍ଧ ସାମରିକ ବଳ ଏବଂ ପୋଲିସ ବିଭାଗର ୮ ଜଣଙ୍କୁ କୀର୍ତ୍ତିଚକ୍ର ପୁରସ୍କାର ପ୍ରଦାନ କରିଛନ୍ତି। କୀର୍ତ୍ତିଚକ୍ର ଦେଶର ଦ୍ୱିତୀୟ ବୃହତ୍ତମ ସମ୍ମାନ। ସଶସ୍ତ୍ର ବଳର ସୁପ୍ରିମ କମାଣ୍ଡର ଦ୍ରୌପଦୀ ମୁର୍ମୁ ୨୯ ଜଣଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି। ଏ ନେଇ ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି। ସୀମା ସୁରକ୍ଷା ବଳର କନ୍ଷ୍ଟେବଲ୍/ଡିଜି ସୁଦୀପ ସରକାର, ଜମ୍ମୁ-କଶ୍ମୀର ପୋଲିସର ସର୍ଜେଣ୍ଟ କନଷ୍ଟେବଲ୍ ରୋହିତ କୁମାରଙ୍କ ସମେତ ଆର୍ମି ରାଷ୍ଟ୍ରୀୟ ରାଇଫଲର ୩ ସେନା ଅଧିକାରୀଙ୍କୁ କୀର୍ତ୍ତି ଚକ୍ର ପ୍ରଦାନ କରାଯାଇଥିବାବେଳେ ଜଣେ ସବ୍ ଇନ୍ସ୍ପେକ୍ଟର, ୨ ହେଡ୍ କନ୍ଷ୍ଟେବଲ୍ଙ୍କୁ ମରଣୋତ୍ତର କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯାଇଛି। କର୍ମଚାରୀଙ୍କୁ ନିଜ ସାହସିକତା ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥାଏ।
ଜମ୍ମୁ-କଶ୍ମୀରର ଲାଇଟ୍ ଇନ୍ଫାଣ୍ଟ୍ରିର ୪୪ ବାଟାଲିୟନ୍ର ରାଇଫଲ ମ୍ୟାନ୍ ଔରଙ୍ଗଜେବଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୮ ସ୍ବାଧୀନତା ଦିବସ ଅବସରରେ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବାକୁ ଥିବା ନାମ ତାଲିକା ଘୋଷଣା କରାଯାଇଥିଲା। ରାଷ୍ଟ୍ରୀୟ ରାଇଫଲ୍ସର ସିପାହୀ କର୍ଣ୍ଣ ଭୀର ସିଂ ଏବଂ ଗନର ଜସବୀର ସିଂ ଏବଂ କନ୍ଷ୍ଟେବଲ ମୁଦାସିର ଅହମଦ ଶେଖ, ନାଏକ ଜସବୀର ସିଂଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି।