ଭାରତ ମଣ୍ଡପମ୍‌ରେ ଆୟୋଜିତ ୭ମ ଭାରତୀୟ ମୋବାଇଲ୍ କଂଗ୍ରେସ ୨୦୨୩ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଗତି ମଇଦାନର ଭାରତ ମଣ୍ଡପମ୍‌ରେ ଆୟୋଜିତ ୭ମ ଭାରତୀୟ ମୋବାଇଲ୍ କଂଗ୍ରେସ ୨୦୨୩ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀ ସାରା ଦେଶରେ ଥିବା ଶିକ୍ଷା ଅନୁଷ୍ଠାନକୁ ୧୦୦ (୫ଜି ୟୁଜ୍ କେସ୍‌୍ ଲ୍ୟାବସ୍‌) ପ୍ରଦାନ କରିଛନ୍ତି । ଏହି ପ୍ରୟୋଗଶାଳାକୁ ୧୦୦ ୫ଜି ଲ୍ୟାବସ୍ ଯୋଜନା ଜରିଆରେ ବିକଶିତ କରାଯାଉଛି । ୫ଜି ଅନୁପ୍ରୟୋଗ ବିକାଶକୁ ପ୍ରୋତ୍ସାହିତ କରି ୫ଜି ଟେକନିକ୍ ସହ ଜଡିତ ବିଭିନ୍ନ ସୁଯୋଗକୁ ସାକାର କରିବାର ଏକ ପ୍ରଚେଷ୍ଟା ହେଉଛି ୧୦୦ ୫ଜି ଲ୍ୟାବ ଯୋଜନା । ଏହା ଭାରତର ବହୁ ବିଶେଷ ଆବଶ୍ୟକତାକୁ ପୁରଣ କରିବା ସହିତ ବୈଶ୍ୱିକ ଚାହିଦାକୁ ବି ପୁରଣ କରିବ । ଏହି ଅଭିନବ ଯୋଜନା ଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ବିଜୁଳି, ପରିବହନ ପରି ବିଭିନ୍ନ ସାମାଜିକ ଆର୍ଥିକ କ୍ଷେତ୍ରରେ ନୂତନ ଅବସରକୁ ପ୍ରୋତ୍ସାହନ ଦେବା ସହିତ ୫ଜି ଟେକନିକର ଉପଯୋଗକୁ ବୃଦ୍ଧି କରିବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ରିମୋଟ୍ କଣ୍ଟ୍ରୋଲ ଜରିଆରେ ସାରା ଦେଶରେ ଥିବା ଶିକ୍ଷାନୁଷ୍ଠାନକୁ ୧୦୦ ୫ଜି ୟୁଜ୍ କେସ୍ ଲ୍ୟାବସ୍ ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଜିଓ ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଆମକୁ ବିକାଶଶୀଳ ଭାରତର ଏକ ମହ୍‌ତ୍ୱକାଂକ୍ଷୀ ଦୃଷ୍ଟିକୋଣ ଦେଇଛନ୍ତି । ୫ଜି କ୍ଷମତାରେ ଜିଓର ଯୋଗଦାନ ୮୫ % ରହିଛି ଯାହା ବିଶ୍ୱରେ ସବୁଠାରୁ ଦ୍ରୁତ ୫ଜି ମଧ୍ୟରୁ ଅନ୍ୟତମ । ଏହି କାର୍ଯ୍ୟକ୍ରମରେ ଆକାଶ ଅମ୍ବାନୀ ଜିଓ ଏୟାର ଫାଇବର ବିଷୟରେ ସୂଚନା ଦେଇଥିଲେ ଯାହା ଦୂର ଦୂରାନ୍ତକୁ ୫ଜି ସେବା ପ୍ରଦାନ କରିପାରିବ । ଆଜି ଭାରତରେ ୧୨.୫ କୋଟି ୫ଜି ୟୁଜର୍ସ ଅଛନ୍ତି ବୋଲି ସେ କହିଥିଲେ ।

ଏହି କ୍ରମରେ ପ୍ରଗତି ମଇଦାନରେ ଆୟୋଜିତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀ ମୋଦୀ ବୁଲି ଦେଖିବା ସହ ବିଭିନ୍ନ ନୂଆ ଟେକ୍ନୋଲଜି ବିଷୟରେ ପଚାରି ବୁଝିଥିଲେ । ତ୍ରିଦିବସୀୟ ଏହି କାର୍ଯ୍ୟକ୍ରମରେ ୫ଜି, ୬ଜି, କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ପରି ପ୍ରାଦ୍ୟୋଗିକ ଜ୍ଞାନକୌଶଳ ଉପରେ ଫୋକସ୍ କରାଯିବ । ଏହା ସହିତ ସେମି କଣ୍ଡକ୍ଟର ଉଦ୍ୟୋଗ, ସାଇବର ସୁରକ୍ଷା ଆଦିି ଦିଗ ଉପରେ ମଧ୍ୟ ଆଲୋଚନା କରାଯିବ । ଏଥିରେ ୨୨ ଦେଶର ଏକ ଲକ୍ଷରୁ ଅଧିକ ପ୍ରତିଭାଗୀ ଭାଗ ନେବେ ।

Related Articles

Back to top button