‘ପିଏମ୍ ଜନମନ’ ଯୋଜନା ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଓ ଛତିଶଗଡରେ ଭୋଟିଂ ପୂର୍ବରୁ ବଡ ଆଦିବାସୀ କାର୍ଡ ଖେଳିଛନ୍ତି । ଆଦିବାସୀଙ୍କ ବିକାଶକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ବୁଧବାର ଝାରଖଣ୍ଡରେ ‘ପିଏମ୍ ଜନମନ’ ଅଭିଯାନର ଘୋଷଣା କରିଛନ୍ତି । ଜନଜାତି ଗୌରବର ପ୍ରତୀକ ବିର୍ସା ମୁଣ୍ଡାଙ୍କୁ ତାଙ୍କ ଜନ୍ମସ୍ଥାନରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ପ୍ରଧାନମନ୍ତ୍ରୀ ନୂଆ ଯୋଜନାର ଘୋଷଣା କରିଛନ୍ତି ଓ ଏହାର ଲାଭ ବିଷୟରେ ଜନତାଙ୍କୁ ସୂଚନା ବି ଦେଇଛନ୍ତି ।

ମୋଦୀ କହିଛନ୍ତି ଏହି ଯୋଜନା ମାଧ୍ୟମରେ ସବୁଠାରୁ ପଛୁଆ ତଥା ଅବହେଳିତ ଥିବା ଆଦିବାସୀଙ୍କ ନିକଟରେ ସରକାର ପହଞ୍ଚିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ବିକଶିତ ଭାରତ ସଂକଳ୍ପର ଏକ ପ୍ରମୁଖ ଆଧାର ହେଉଛି ‘ପିଏମ୍ ଜନମନ’ ଅର୍ଥାତ୍ ପିଏମ୍ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ । ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶ ସ୍ୱାଧୀନତା ଲାଭ ପରେ ବହୁ ଦଶକ ପର୍ଯ୍ୟନ୍ତ ଆଦିବାସୀ ସମାଜକୁ ଅଣଦେଖା କରାଯାଇଛି । ଅଟଳଜୀ ସରକାର ଆଦିବାସୀଙ୍କ ଲାଗି ଅଲଗା ମନ୍ତ୍ରଣାଳୟ ତିଆରି କରିଥିଲେ ଓ ବଜେଟ୍ ବ୍ୟବସ୍ଥା ବି କରିଥିଲେ । ଆମ ସରକାରରେ ଏବେ ଆଦିବାସୀ କଲ୍ୟାଣ ଲାଗି ବଜେଟ୍ ପୂର୍ବାପେକ୍ଷା ୬ ଗୁଣ ବୃଦ୍ଧି ପାଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଜନମନ ଜରିଆରେ ସରକାର ସେହି ଆଦିବାସୀ ଭାଇ ଭଉଣୀଙ୍କ ପାଖରେ ପହଞ୍ଚିବେ ଯେଉଁମାନଙ୍କ ପର୍ଯ୍ୟନ୍ତ ଏ ଯାଏଁ ସମସ୍ତ ଅତ୍ୟାବଶ୍ୟକ ସୁବିଧା ପହଞ୍ଚି ପାରିନାହିଁ । ଏମାନେ ହେଉଛନ୍ତି ସେହି ଜନଜାତି ଯେଉଁମାନେ ଏବେ ବି ଜଙ୍ଗଲରେ ରହୁଛନ୍ତି । ଏମାନେ ରେଳଗାଡି ଦେଖିବା ତ ଦୂରରେ ଥାଉ ଶବ୍ଦ ବି ଶୁଣିନାହାନ୍ତି । ସରକାର ଦେଶର ୨୨ ହଜାରରୁ ଅଧିକ ଗ୍ରାମରେ ରହୁଥିବା ୭୫ ଏପରି ଜନଜାତି ସମୂହଙ୍କର ଚିହ୍ନଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେପରି ପଛୁଆ ଶ୍ରେଣୀଙ୍କ ମଧ୍ୟରେ ଅତି ପଛୁଆ ଶ୍ରେଣୀ ରହିଛନ୍ତି ସେହିପରି ଆଦିବାସୀଙ୍କ ମଧ୍ୟରେ ଏମାନେ ସବୁଠାରୁ ପଛରେ ରହିଥିବା ଆଦିବାସୀ ସମୂହ ଅଟନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଅତି ପଛୁଆ ଆଦିବାସୀଙ୍କ ଲାଗି ଭାରତ ସରକାର ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।

Related Articles

Back to top button