ଆଜି ଉଦଘାଟିତ ହେବ ମହାକାଳେଶ୍ଵର ମନ୍ଦିର ପରିକ୍ରମା ପ୍ରକଳ୍ପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶକୁ ଏକାଧିକ ଉପହାର ଦେବେ। ଆଜି ଅପରାହ୍ନରେ ଅହମ୍ମଦାବାଦରୁ ସିଧା ସଳଖ ମଧ୍ୟପ୍ରଦେଶ ଅଭିମୁଖେ ଯାତ୍ରା କରିବେ।

ମଧ୍ୟ ପ୍ରଦେଶ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଉଜ୍ଜୟିନୀ ଯାଇ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ । ଯେଉଁଠାରେ ବାବା ମହାକାଳେଶ୍ବରଙ୍କୁ ସନ୍ଧ୍ୟା ପ୍ରାୟ 5 ଟାରେ ଦର୍ଶନ ଓ ପୂଜା କରିବେ । ପରେ ସନ୍ଧ୍ୟା ପ୍ରାୟ 6.30ମିରେ ପ୍ରଥମ ପର୍ଯ୍ୟାୟର ଶ୍ରୀମହାକାଳ ଲୋକକୁ(କରିଡର) ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ସନ୍ଧ୍ୟା 7.15 ମିନିଟରେ ଉଜ୍ଜୟିନୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ ।

ଶ୍ରୀମହାକାଳ ଲୋକ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀମାନଙ୍କୁ ବିଶ୍ବସ୍ତରୀୟ ଆଧୁନିକ ସେବା ପ୍ରଦାନ କରିବ । ମନ୍ଦିରକୁ ଆସୁଥିବା ତୀର୍ଥଯାତ୍ରୀମାନଙ୍କର ଅନୁଭବକୁ ସ୍ମରଣୀୟ କରିବାରେ ସହାୟତା ପ୍ରଦାନ କରିବ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ସମଗ୍ର କ୍ଷେତ୍ରରେ ଭିଡକୁ କମ କରିବା ଏବଂ ଐତିହ୍ୟର ସଂରକ୍ଷଣ । ଏହି ପ୍ରକଳ୍ପ ଅନ୍ତର୍ଗତ ମନ୍ଦିର ପରିସରକୁ ପ୍ରାୟତଃ ସାତ ଗୁଣା ବିସ୍ତାର କରାଯିବ । ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ସର୍ବମୋଟ 850 କୋଟି ଟଙ୍କା ଖର୍ଚ୍ଚ ହେବ । ମନ୍ଦିରର ବର୍ତ୍ତମାନର ବ୍ୟବସ୍ଥାରେ ପ୍ରତି ବର୍ଷ 1.5 କୋଟି ଶ୍ରଦ୍ଧାଳୁ ଆସିଥାନ୍ତି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦୁଇଗୁଣା ହେବ ବୋଲି ସରକାର ଆଶା ରଖିଛନ୍ତି । ଏହି ଯୋଜନାର ପୁରା ପ୍ରକଳ୍ପକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହାକୁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ ।

ଉଦଘାଟିତ ହେବାକୁ ଥିବା ଶ୍ରୀ ମହାକାଳ ପଥରେ 108 ସ୍ତମ୍ଭ (ଖମ୍ବ)  ଯାହା ଭଗବାନ ଶିବଙ୍କ ଆନନ୍ଦ ତାଣ୍ଡବ ସ୍ବରୂପ (ନୃତ୍ୟ ରୂପ) କୁ ଦର୍ଶାଇଥାଏ । ଶ୍ରୀ ମହାକାଳ ପଥ ପାର୍ଶ୍ବରେ ଭଗବାନ ଶିବଙ୍କ ଜୀବନକୁ ଦର୍ଶାଉଥିବା ଅନେକ ଧାର୍ମିକ ମୂର୍ତ୍ତିକୁ ସ୍ଥାପନା କରାଯାଇଛି । ପଥ ସହିତ ଭିତର କାନ୍ଥର ଚିତ୍ର ଶିବ ପୁରାଣର କାହାଣୀ ଉପରେ ଆଧାରିତ ରହିଛି । ଯେଉଁଥିରେ ସୃଜନ କାର୍ଯ୍ୟ, ଗଣେଶଙ୍କ ଜନ୍ମ , ସତୀ ଏବଂ ଦକ୍ଷ କାହାଣୀ ଆଦି ସାମିଲ ରହିଛି । 2.5 ହେକ୍ଟରରେ ରହିଥିବା ପ୍ଲାଜା କ୍ଷେତ୍ର ପଦ୍ମ ପୋଖରୀରେ ଆବଦ୍ଧିତ ରହିଛି । ଏଥିରେ ଝରଣା ସହିତ ଶିବ ମୂର୍ତ୍ତିଙ୍କୁ ମଧ୍ୟ ସ୍ଥାପିତ କରାଯାଇଛି । ଆର୍ଟିଫିସିଆଲ ଇଣ୍ଟେଲିଜେନସ ଏବଂ ସର୍ଭେଲାନସ କ୍ୟାମେରା ସହାୟତାରେ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ଦ୍ବାରା ଏହି ସମ୍ପୂର୍ଣ୍ଣ ପରିସରର ଚବିଶ ଘଣ୍ଟା ପରିଚାଳିତ ହେବ ।

Related Articles

Back to top button