ଫୁଲତୋଡ଼ା ଦେଖି ଖୁବ୍ ହସିଲେ ପ୍ରିୟଙ୍କା

ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରଚାର ବେଳର କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ସୋମବାର ଏଠାରେ ଇନ୍ଦୋର ବିଧାନସଭା ଆସନ ସଂଖ୍ୟା ୫ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଜନସଭାକୁ ସମ୍ବୋଧିତ କରିଥିଲେ। ଭାଷଣ ପୂର୍ବରୁ ମଞ୍ଚ ଉପରେ କଂଗ୍ରେସ ନେତାମାନେ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍ୱାଗତ କରିଥିଲେ। ଏହି ସମୟରେ ଏମିତି ଏକ ମୁହୂର୍ତ୍ତ ଆସିଥିଲା, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ ଦେଖାଯାଉଛି କି, ଜନସଭାର ମଞ୍ଚ ଉପରେ ପ୍ରିୟଙ୍କା ଗାନ୍ଧିଙ୍କୁ ସ୍ୱାଗତ କରିବା ପାଇଁ ଜଣେ ଜଣେ ନେତା ତାଙ୍କ ପାଖକୁ ଯାଉଛନ୍ତି ଏବଂ ଫୁଲତୋଡ଼ା ପ୍ରଦାନ କରୁଛନ୍ତି। କଂଗ୍ରେସ ନେତାମାନେ ପ୍ରିୟଙ୍କାଙ୍କୁ ହସି ହସି ସ୍ୱାଗତ କରୁଥିବା ନଜର ଆସୁଛନ୍ତି।

କିଛି ନେତା ପ୍ରିୟଙ୍କାଙ୍କୁ ଗୋଲାପ ଫୁଲ ମଧ୍ୟ ଦେଉଛନ୍ତି। ତେବେ ଏହି ସମୟରେ ଜଣେ ଦଳୀୟ ନେତା ଖାଲି ଫୁଲତୋଡ଼ା ଧରି ଆସୁଛନ୍ତି ଏବଂ ଏହାକୁ ସେ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟି ଦେଉଛନ୍ତି। ଯେତେବେଳେ ଏହି ଫୁଲତୋଡ଼ା ଉପରେ ପ୍ରିୟଙ୍କା ଗାନ୍ଧିଙ୍କ ନଜର ପଡ଼ୁଛି, ସେ ହସିବାକୁ ଲାଗୁଛନ୍ତି। କାରଣ, ଫୁଲତୋଡ଼ାରେ କୌଣସି ଗୋଟିଏ ବି ଫୁଲ ନ ଥିଲା, କେବଳ ପତ୍ର ରହିଥିଲା। ପ୍ରିୟଙ୍କା ଗାନ୍ଧି ଏହି ଖାଲି ଫୁଲତୋଡ଼ାକୁ ଦେଖାଉଛନ୍ତି। ଲାଗୁଛି, ଯେପରି ସେ ପଚାରୁଛନ୍ତି କି, ଫୁଲଗୁଡ଼ିକ କେଉଁଠି ଅଛି? ଏହା ଦେଖି ଉପସ୍ଥିତ ନେତା ନିଜକୁ ଲଜ୍ଜିତ ଅନୁଭବ କରୁଛନ୍ତି ଏବଂ କିଛି ନେତା ସ୍ମିତହାସ୍ୟ କରୁଛନ୍ତି।

କିନ୍ତୁ ଇନ୍ଦୋର ଜନସଭାକୁ ସମ୍ବୋଧିତ ବେଳେ ପ୍ରିୟଙ୍କା ଗାନ୍ଧି ଏହି ଖାଲି ଫୁଲତୋଡ଼ାର ବ୍ୟାଖ୍ୟା କରିଥିଲେ। ସେ ବିଜେପି ଦ୍ୱାରା ଦିଆଯାଉଥିବା ନିର୍ବାଚନୀ ପ୍ରତିଶ୍ରୁତି ସହିତ ଏହାକୁ ତୁଳନା କରିଥିଲେ।

Related Articles

Back to top button