ଶିକ୍ଷକ ଆନ୍ଦୋଳନକୁ ନେଇ ଗୃହରେ ହଙ୍ଗାମା, ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ଭୁବନେଶ୍ୱରର ରାଜରାସ୍ତାରେ ଧାରଣାରେ ବସିଛନ୍ତି ଶିକ୍ଷକ । ଦ୍ୱିତୀୟ ଦିନରେ ଜାରି ରହିଛି ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା । ଗତକାଲି ନିଜର ୩ ଦଫା ଦାବି ନେଇ ଶିକ୍ଷକ ସଂଘ ରଣହୁଙ୍କାର ଦେଇଥିଲେ । ପାଖାପାଖି ୧ ଲକ୍ଷରୁ ଅଧିକ ଶିକ୍ଷକ ଏକାଠି ହୋଇ ନିଜର ଦାବି ଉପସ୍ଥାପନା କରିଥିଲେ । ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତିକ ନିଯୁକ୍ତି ପ୍ରଥା ଉଚ୍ଛେଦ , ଗ୍ରେଡ ପେ ବୃଦ୍ଧି, ପୁୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ମୁଖ୍ୟ ଦାବି ନେଇ ଆଜି ବି ଆନ୍ଦୋଳନ ଜାରି ରହିଛି । ଏହାରି ମଧ୍ୟରେ ଶିକ୍ଷକ ଆନ୍ଦୋଳନ ନେଇ ରୁଲିଂ ଦେଇଛନ୍ତି ବାଚସ୍ପତି । ଶିକ୍ଷକଙ୍କ ଆନ୍ଦୋଳନ ପ୍ରତି ସରକାର ସ୍ୱତନ୍ତ୍ର ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବକ, ଶିକ୍ଷକ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ ।

ତେବେ ପ୍ରାଥମିକ ଶିକ୍ଷାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସହ ୨୦୦୧ରୁ ନିଯୁକ୍ତ ସମସ୍ତ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ, ଶିକ୍ଷା ସହାୟକ ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ । ଏଥିସହ ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ସପ୍ତମ ବେତନ ଅନୁଯାୟୀ କେନ୍ଦ୍ରୀୟ ହାରରେ ଦରମା ଓ ୨୦୦୫ରୁ ନିଯୁକ୍ତ କର୍ମଚାରୀଙ୍କ ନୂତନ ପେନସନ୍ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ୍ ବ୍ୟବସ୍ଥା ପୁନଃ ପ୍ରଚଳନ କରିବାକୁ ମଧ୍ୟ ଦାବି କରାଯାଇଛି। ଏହି ୩ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନରୁ ଓହରିବେ ନାହିଁ ଏବଂ ରାଜଧାନୀ ଗାନ୍ଧୀ ମାର୍ଗରେ ଆନ୍ଦୋଳନ ଜାରି ରଖିବେ ବୋଲି ରବିବାର ଦିନ ଶିକ୍ଷକ ନେତାମାନେ ଚେତାବନୀ ଶୁଣାଇଥିଲେ ।

Related Articles

Back to top button