ତାମିଲନାଡୁରେ ବର୍ଷା ବିତ୍ପାତ, ଆଇଏମଡିଙ୍କ ରେଡ ଆଲର୍ଟ

ଚେନ୍ନାଇ: ଭୀଷଣ ବର୍ଷା ଏବେ ତାମିଲନାଡୁ ଲାଗି ଚିନ୍ତାର ବିଷୟ ପାଲଟିଛି। ଲଗାତାର ବର୍ଷା ଯୋଗୁ ଅନେକ ଜିଲ୍ଲାରେ ଏବେ ପାଣି ଜମିବା ଭଳି ସମସ୍ୟା ସୃଷ୍ଟି ହୋଇଛି।  ପରିସ୍ଥିତି ଏମିତି ହୋଇଛି ଯେ ସଡକ ଏବେ ନଦୀରେ ରୂପାନ୍ତରିତ ହୋଇଛି। ରାସ୍ତାରେ ପାଣି ଭରି ରହିବା ଯୋଗୁ ଘରୁ ସ୍କୁଲ, କଲେଜ ଓ ଅଫିସ ଯିବା ଆସିବା ଏବେ କଷ୍ଟକର ହୋଇପଡିଛି। ଲୋକଙ୍କୁ ଘଣ୍ଟା ଘଣ୍ଟା ଜାମରେ ଫଶି ରହିବାକୁ ପଡୁଛି। ଶନିବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ଫଳରେ ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଯାଇଥିଲା।

ଗତ ଏକ ସପ୍ତାହରୁ ଅଧିକ କାଳ ଧରି ତାମିଲନାଡୁରେ ବର୍ଷା ଲାଗି ରହିଛି। ରାଜ୍ୟରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ଙ୍କ ଅନୁସାରେ ରାଜ୍ୟରେ ରବିବାର ମଧ୍ୟ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ଏଥିରେ ରାଜଧାନୀ ଚେନ୍ନାଇରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ଅନୁମାନ କରିଛନ୍ତି ଆଇଏମଡି। ଭୀଷଣ ବର୍ଷା ଯୋଗୁ ଥେନୀ, ଡିଣ୍ଡିଗୁଲ, ମଦୁରାଇ, ଶିବଗଙ୍ଗା ଓ ରାମନାଥ ପୁରମ ଜିଲ୍ଲାରେ ବନ୍ୟା ସତର୍କତା ଜାରି ହୋଇଛି।

ରାଜଧାନୀ ଚେନ୍ନାଇର ଅନେକ ଅଞ୍ଚଳ ଓ ପଡୋଶୀ କାଞ୍ଚିପୁରମ, ତିରୁବଲ୍ଲୁର ଏବଂ ଚେଙ୍ଗଲପେଟରେ ବର୍ଷା ଲାଗି ରହିଛି। ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ଯୋଗୁ ବର୍ଷା ଜାରି ରହିଛି। ଆଇଏମଡି ଶୁକ୍ରବାର ଠାରୁ ଜାରି ବର୍ଷା ଯୋଗୁ ତାମିଲନାଡୁ ନିମନ୍ତେ ରେଡ ଆଲର୍ଟ ଜାରି କରିଛନ୍ତି। ଭୀଷଣ ବର୍ଷା ଯୋଗୁ ରାଜଧାନୀ ଚେନ୍ନାଇର ଅନେକ ଅଞ୍ଚଳରେ ପାଣି ଭରି ଯାଇଛି। ଫଳରେ ସାଧାରଣ ଲୋକଙ୍କ ସମସ୍ୟା ବହୁଗୁଣିତ ହୋଇଛି। ସେପଟେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ନଦୀବନ୍ଧ ପ୍ରକଳ୍ପରେ ଜଳସ୍ତର ବଢିବାରେ ଲାଗିଛି।

ଥେନୀସ୍ଥିତ ବେଗଇ ବନ୍ଧରୁ ୪ହଜାର ୨୩୦ କ୍ୟୁସେକ୍ ଉଦବୃତ୍ତ ପାଣି ଛଡାଯାଇଥିବାର ଅଧିକାରୀ ସୂଚନା ଦେଇଛନ୍ତି। ପାଣିପାଗ ବିଭାଗଙ୍କ ପୂର୍ବାନୁମାନ ଅନୁସାରେ ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହୋଇ ତାମିଲନାଡୁ ଓ ପୁଡୁଚେରୀ ତଟକୁ ମୁହାଁଇବ। ଫଳରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ଭୀଷଣ ବର୍ଷା ଆଶଙ୍କା କରାଯାଉଛି। ପୁଡୁଚେରୀ ଓ ଆଖପାଖ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଯୋଗୁ ଶନିବାର ରାତିରୁ ବର୍ଷା ଲାଗି ରହିଛି। ଏଣୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶ, ଉତ୍ତର ତାମିଲନାଡୁ, ପୁଡୁଚେରୀ ଉପକୂଳ ସମେତ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ସଲଗ୍ନ ଅଞ୍ଚଳକୁ ମାଛ ମାରି ନ ଯିବାରୁ ମତ୍ସ୍ୟଜୀବିଙ୍କୁ ସତର୍କ କରାଯାଇଛି।

Related Articles

Back to top button