ପଶୁମାନଙ୍କ ଠାରେ ଦ୍ରୁତ ଗତିରେ ବ୍ୟାପୁଛି ସଂକ୍ରାମକ ରୋଗ ଲମ୍ପି

ଜୟପୁର: ଦେଶରେ ଗୃହପାଳିତ ପଶୁମାନଙ୍କୁ ବ୍ୟାପୁଛି ସଂକ୍ରାମକ ରୋଗ ଲମ୍ପି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପଶୁପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲା। ଲମ୍ପି ରୋଗରେ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ରାଜସ୍ଥାନ। ରାଜ୍ୟରେ ୧୧ଟି ଜିଲ୍ଲାରେ ଏହି ରୋଗର ସ୍ଥିତି ଗମ୍ଭୀର ରହିଛି। ଯେଉଁ ଗାଈକୁ ଲମ୍ପି ରୋଗ ହୋଇଛି ସେହି ଗାଈର କ୍ଷୀନ ନ ପିଇବା ସହ ତାକୁ ଅନ୍ୟ ଗୋରୁଠାରୁ ଅଲଗା ରଖିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶନିବାର ପଶୁପାଳନ ମନ୍ତ୍ରୀ ରୁପାଲା କେନ୍ଦ୍ରୀୟ ଯାଞ୍ଚ ଟିମ୍‌ ସହ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସମସ୍ୟାର ସମୀକ୍ଷା କରିଛନ୍ତି।

ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି “ ଦେଶରେ ଲମ୍ପି ଭଳି ଚର୍ମ ରୋଗରେ ଶିକାର ହୋଇଥିବା ୫ ରାଜ୍ୟଗୁଡ଼ିକ ମଧ୍ୟରୁ ରାଜସ୍ଥାନ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ୧୧ଟି ଜିଲ୍ଲାରେ ସ୍ଥିତି ଗମ୍ଭୀର ରହିଛି।” ଗୋରୁମାନଙ୍କ ଠାରେ ସଂକ୍ରମଣକୁ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାଶ ଜାରି ରଖିଛନ୍ତି। ଖୁବଶୀଘ୍ର ଏହାକୁ ରୋକାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତା ସହ ସଂକ୍ରମିତ ରୋକିବାକୁ ଟିକାକରଣ ଓ କ୍ୱାରେଣ୍ଟିନ୍‌ ବ୍ୟବବସ୍ଥା କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ତେବେ ଏହି ରୋଗରୁ ରକ୍ଷା ପାଇବାକୁ ହେଲେ ‘ଗୋଟ ପକ୍ସ ଟିକା’ ଲଗାଇବା ଦରକାର। ଅତି ପ୍ରଭାବିତ ଅଞ୍ଚଳଗୁଡ଼ିକର ଟିକାର ୩ଏମ୍‌ଏଲ୍‌ଏ ଡୋଜ୍‌ର ବ୍ୟବହାର କରନ୍ତୁ । ସେହିବଳି କମ୍ ପ୍ରଭାବିତ ଅଞ୍ଚଳରେ ଗୋରୁମାନଙ୍କୁ ୧ ଏମ୍‌ଏଲ୍‌ ଡୋଜ୍‌ର ଟିକା ଲଗାନ୍ତୁ ବୋଲି ମନ୍ତ୍ରୀ କହିଛନ୍ତି। ତା ସହ ରୋଗକୁ ରୋକିବାକୁ କେନ୍ଦ୍ର ସରକାର ସମସ୍ତ ସହଯୋଗ କରିବେ ବୋଲି ସେ ପ୍ରତିସ୍ରୁତି ଦେଇଛନ୍ତି।

କ’ଣ ଏହି ଲମ୍ପି ରୋଗ ?

ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ସଂକ୍ରାମକ ରୋଗ ରକ୍ତ ଶୋଷଣ କରୁଥିବା କୀଟ ଓ ମାଛି ଭଳି କିଛି ପ୍ରଜାତି ତଥା ଦୂଷିତ ଖାଦ୍ୟ ଓ ପାଣି ପିଇବା ଦ୍ୱାରା ହୋଇଥାଏ। ଏହାର ପ୍ରାଥମିକ ଲକ୍ଷଣରେ ପଶୁମାନଙ୍କର ଚର୍ମରେ ଗଣ୍ଠି ପଢ଼ିବା ସହ ପ୍ରବଳ ଜ୍ୱର ଓ ନାକର ସିଂଗାଣି ବାହାରି ଥାଏ। ପ୍ରଥମେ ଆଫ୍ରିକାରେ ଏହି ରୋଗ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ୍‌ରେ ପାକିସ୍ତାନ ଦେଇ ଭାରତ ଆସିଥିଲା ବୋଲି ରୋଗ ବିଶେଷଜ୍ଞମାନେ କହିଛନ୍ତି।

Related Articles

Back to top button