
ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର, ଭେଣ୍ଟିଲେଟରରେ ଚାଲିଛି ଚିକିତ୍ସା
ମୁମ୍ବାଇ : ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ହୃଦ୍ଘାତ ଆକ୍ରାନ୍ତ ହେବା ପରେ ତାଙ୍କ ଚେତା ଏପର୍ଯ୍ୟନ୍ତ ଫେରିନାହିଁ। ଏହା ଚିନ୍ତାଜନକ ବିଷୟ ବୋଲି ଏମ୍ସର ଡାକ୍ତରମାନେ ସୂଚନା ଦେଇଛନ୍ତି।
ରାଜୁ ଶ୍ରୀବାସ୍ତବଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ କହିଛନ୍ତି, ଭାଇଙ୍କ ଅବସ୍ଥା ଗୁରୁତର। ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରେ ରଖିଛନ୍ତି। ରାଜୁଙ୍କ ପରିବାରର ସମସ୍ତ ସଦସ୍ୟ ଚିନ୍ତିତ ଅଛନ୍ତି। ତାଙ୍କ ସ୍ତ୍ରୀ ଶିଖା ମଧ୍ୟ ଦିଲ୍ଲୀ ଏମ୍ସରେ ଉପସ୍ଥିତ ଅଛନ୍ତି।
ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ ହସ୍ପିଟାଲକୁ ନିଆଯାଇଥିଲା । ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ଡାକ୍ତରଙ୍କ ଏକ ଟିମ୍ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ସୂତ୍ରରୁ ପ୍ରକାଶ ଯେ ରାଜୁଙ୍କ ଅବସ୍ଥା ଗୁରୁତର ରହିଛି। ଅସୁସ୍ଥତା ଖବର ଆସିବା ପରଠାରୁ ତାଙ୍କ ପ୍ରଶଂସକଙ୍କ କୋଟି କୋଟି ନିରାଶାରେ ଅଛନ୍ତି ଏବଂ ସମସ୍ତେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି।
ଦି ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ, କମେଡି ସର୍କସ୍, ଦି କପିଲ ଶର୍ମା ଶୋ, ଶକ୍ତିମାନ, ରାଜୁ ଶ୍ରୀବାସ୍ତବ ଭଳି ଟିଭି ଶୋ ବ୍ୟତୀତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଛନ୍ତି। ୫୮ ବର୍ଷର ରାଜୁ ଶ୍ରୀବାସ୍ତବ ମଧ୍ୟ ଭାରତୀୟ ଜନତା ଦଳର ଜଣେ ନେତା। ବିଜେପିରେ ଯୋଗଦେବା ପୂର୍ବରୁ ସେ ସମାଜବାଦୀ ପାର୍ଟିରେ ମଧ୍ୟ ରହିଥିଲେ।