ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଛଅ ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ

ନୂଆଦିଲ୍ଲୀ:  ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଛଅ ଦୋଷୀଙ୍କୁ ମୁକ୍ତ କରାଯିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବ କଂଗ୍ରେସ। ସର୍ବୋଚ୍ଚ ନ୍ୟାୟାଳୟରେ ଏ ନେଇ ସମୀକ୍ଷା ଆବେଦନ ଦାୟର କରିବାକୁ ଦଳ ପ୍ରସ୍ତୁତ। କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ଅନୁଯାୟୀ, ଯାଚିକା ଆଗାମୀ ୩-୪ ଦିନରେ ଦାୟର କରାଯିବ। କଂଗ୍ରେସ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅସ୍ଵୀକାର୍ଯ୍ୟ ସହ ସଂପୂର୍ଣ୍ଣ ଭୁଲ୍ ବୋଲି କହିଛି। କଂଗ୍ରେସ କହିଛି, ଦୋଷୀଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି, ନିର୍ଦ୍ଦୋଷରେ ଖଲାସ କରାଯାଇ ନାହିଁ। ତେଣୁ ଦୋଷୀଙ୍କୁ ହିରୋ ଭାବେ ଦେଖିବା ଉଚିତ୍ ନୁହେଁ।

ଏବେ କଂଗ୍ରେସ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରାଯିବା ନିଷ୍ପତ୍ତି ବିରୋଧରେ ଖୁବ୍ ଶୀଘ୍ର ଉଚ୍ଚତମ ନ୍ୟାୟାଳୟରେ ପୁନର୍ବିଚାର ଯାଚିକା ଦାୟର କରିବ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ପୂର୍ବରୁ ଏହି ମାମଲାରେ ପୁନର୍ବିଚାର ଯାଚିକା ଦାୟର କରି ସାରିଛନ୍ତି।କେନ୍ଦ୍ର ସରକାର କହିଛନ୍ତି, ଏହି ମାମଲାରେ ସେ ପକ୍ଷକାର ରହି ଆସିଛନ୍ତି। ମାତ୍ର ତାଙ୍କ ଦଲିଲ୍ ନଶୁଣି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀଙ୍କୁ ମୁକ୍ତ କରାଯିବାର ଆଦେଶ ପାରିତ କରାଗଲା।

ସୂଚନାଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟ ନଭେମ୍ବର ୧୧ରେ ନଳିନୀ ଶ୍ରୀହରନଙ୍କ ସହିତ ଛଅ ଦୋଷୀଙ୍କୁ ସମୟ ପୂର୍ବରୁ ମୁକ୍ତ କରିବାକୁ ଆଦେଶ ଦିଆଯାଇଥିଲା। ନ୍ୟାୟାଳୟ ତାମିଲନାଡୁ ସରକାର ଦ୍ଵାରା ଅପରାଧୀଙ୍କ ସଜା କୋହଳ କରିବା ସୁପାରିସ ଆଧାରରେ ଏହି ଆଦେଶ ଦେଇଥିଲେ। ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ ପରେ ନଳିନୀଙ୍କ ବ୍ୟତୀତ ଆର ପି ରବିଚନ୍ଦ୍ରନ, ସନ୍ଥନ, ମୁରୁଗନ, ରବର୍ଟ ପାୟସ ଏବଂ ଜୟକୁମାର ଜେଲ୍‌ରୁ ମୁକୁଳିଛନ୍ତି।

Related Articles

Back to top button