
ଗମ୍ଭୀର ମାମଲାରେ ଗିରଫ ପରେ ପଦରୁ ହଟାଇବା ପାଇଁ ଉଦ୍ଦିଷ୍ଟ ବିଧେୟକ ବୁଧବାର ଗୃହରେ ଆଗତ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ
ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଅପରାଧର ଗମ୍ଭୀର ମାମଲାରେ ଗିରଫ ପରେ ପଦରୁ ହଟାଇବା ପାଇଁ ଉଦ୍ଦିଷ୍ଟ ବିଧେୟକ ବୁଧବାର ଗୃହରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଆଗତ କରିଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି ସମେତ ପୂରା ବିରୋଧୀ ଦଳ ବିଲର ପୂରା ବିରୋଧ କରିଛନ୍ତି । କଂଗ୍ରେସ ବିଧେୟକକୁ ସଂପୂର୍ଣ୍ଣ ବିନାଶକାରୀ ଦର୍ଶାଇଥିବା ବେଳେ ଅମିତ ଶାହ କହିଛନ୍ତି, ବିଧେୟକକୁ ଯୁଗ୍ମ ସଂସଦୀୟ କମିଟି ପଠାଯିବ ।
ଏହି ବିଲ୍ ଅନୁଯାୟୀ, ଯଦି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଏ, ତେବେ ସେମାନଙ୍କୁ ସେମାନଙ୍କ ପଦରୁ ଇସ୍ତଫା ଦେବାକୁ ପଡିବ। ଗିରଫ ହେବା ପରେ ଏହି ନିୟମ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଗୁରୁତର ଅପରାଧିକ ଅଭିଯୋଗରେ ଅଟକ ରଖାଗଲେ ସେମାନଙ୍କୁ ମଧ୍ୟ ସେମାନଙ୍କ ପଦରୁ ବହିଷ୍କାର କରାଯିବ।
ଲୋକସଭାରେ ଅମିତ ସାହ ଏହି ବିଲ୍ ଆଗତ କରିବା ସମୟରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । କଂଗ୍ରେସ, ସପା ପାର୍ଟି ସମେତ ସମସ୍ତ ବିରୋଧୀ ଦଳଙ୍କ ଜୋରଦାର ହଙ୍ଗାମା ଦ ଖେିବାକୁ ମିଳିଛି । ଏହା ପରେ ଗୃହକୁ ମୁଲତବୀ କରିବାକୁ ପଡିଛି । କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଛନ୍ତି, ସଂପୂର୍ଣ୍ଣ ଭାବେ ଏହି ବିଲ୍ ବିନାଶକାରୀ ଅଟେ । ଭାରତୀୟ ସମ୍ବିଧାନ ଅନୁଯାୟୀ, ଆଇନର ଶାସନ ହେବା ଉଚିତ୍ ଏବଂ ଏହାର ଆଧାର ଏହା ଯେ ପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ ନ ହୋଇଛ ସେ ପର୍ଯ୍ୟନ୍ତ ଆପଣ ନିର୍ଦ୍ଦୋଷ । ଏହି ବିଧେୟକରେ ଓଲଟା ରହିଛି । ସମ୍ପ୍ରତି ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିଭିନ୍ନ ମାମଲାରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀଙ୍କୁ ଗିରଫ କରିଥିଲା। କିନ୍ତୁ ଏହି ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ଗିରଫ ହେବା ସତ୍ତ୍ୱେ ଇସ୍ତଫା ଦେଇ ନଥିଲେ। ଉଲ୍ଲେଖନୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ମାମଲାରେ ତତ୍କାଳୀନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରିଥିଲା, କିନ୍ତୁ ସେ ଜେଲ ଯିବା ସତ୍ତ୍ୱେ ତାଙ୍କ ପଦରୁ ଇସ୍ତଫା ଦେଇ ନଥିଲେ।
ଆଉ ଏକ ଘଟଣାରେ ଇଡି ଏକ ମାମଲାରେ ତତ୍କାଳୀନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମଧ୍ୟ ଗିରଫ କରିଥିଲା, କିନ୍ତୁ ସେ ପଦରୁ ଇସ୍ତଫା ଦେଇଥିଲେ। ଏହା ବ୍ୟତୀତ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ଗିରଫ କରାଯାଇଛି। ଏପରି ପରିସ୍ଥିତିରେ, ଯଦି ନୂତନ ବିଲ୍ ପାସ୍ ହୁଏ, ତେବେ ଏହାର ସିଧାସଳଖ ଅର୍ଥ ହେବ ଯେ ଗିରଫ ହେବା ପରେ ପଦବୀରେ ବସିଥିବା ନେତାଙ୍କୁ ଚୌକି ଛାଡିବାକୁ ପଡିବ।