ସାଇବର ସେଲରେ ଠକାମି ମାମଲା ଦାୟର କଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନେଇ ଆସିଛି ଏକ ବଡ଼ ଧରଣର ଠକାମି ମାମଲା। ସଚିନଙ୍କର ନାମ, ଫଟୋ ଓ ସ୍ୱରକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଉଥିବା ନେଇ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ସାଇବର ସେଲରେ ସେ ଏକ ମାମଲା ଦାୟର କରିଛନ୍ତି । ଇଣ୍ଟରନେଟରେ ଚାଲୁଥିବା କିଛି ଫେକ ବିଜ୍ଞାପନରେ ସଚିନଙ୍କର ବ୍ୟକ୍ତିଗତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ ସଚିନ ଉକ୍ତ ପ୍ରଡକ୍ଟ କିଣିଲେ ସଚିନଙ୍କ ହସ୍ତାକ୍ଷର ଥିବା ଟି-ଶାର୍ଟ ମିଳିବ ବୋଲି ମଧ୍ୟ ଉକ୍ତ ବିଜ୍ଞାପନରେ ଦାବି କରାଯାଇଥିଲା ।

ତେବେ ସଚିନଙ୍କର ଅଭିଯୋଗ ପରେ ମୁମ୍ବାଇ ପୋଲିସର ସାଇବର ସେଲ ଏକ ମାମଲା ଦାୟର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲା ଦାୟର କରିଥିବା ଜଣାପଡ଼ିଛି । ଫେସବୁକରେ ଏକ ଅଏଲ କମ୍ପାନୀର ବିଜ୍ଞାପନ ସଚିନ ଦେଖିଥିଲେ । ଉକ୍ତ ବିଜ୍ଞାପନରେ ତେନ୍ଦୁଲକରଙ୍କର ଫଟୋକୁ ବ୍ୟବହାର କରାଯିବା ସହ ସଚିନ ନିଜେ ଏହି ପ୍ରଡକ୍ଟ କିଣିବାକୁ ସୁପାରିଶ କରିଥିବା ବିଜ୍ଞାପନ ତଳେ ଲେଖାଯାଇଥିଲା । ଏପରି ବିଜ୍ଞାପନ ଇନଷ୍ଟାଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ବିଗ୍ ବି ଅମିତାଭ ବଚନଙ୍କ ନାମ, ଫଟୋ, କଣ୍ଠସ୍ୱର ଓ ଅନ୍ୟ ପ୍ରତୀକକୁ ବିନା ଅନୁମତିରେ ବ୍ୟବହାର କଲେ ମହଙ୍ଗା ପଡ଼ିବ ବୋଲି ଗତବର୍ଷ ନଭେମ୍ବର ମାସରେ ଦିଲ୍ଲୀ ହାଇକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ ।

Related Articles

Back to top button