
ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା
ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ।ଆଜି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ଜଷ୍ଟିସମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ଦେଖାଦେଇଥିଲା, ଏଣୁ ଏହାକୁ ସ୍ୱୀକୃତି ଦେବାକୁ ସର୍ବୋଚ୍ଚ କୋର୍ଟ ମନା କରି ଦେଇଛନ୍ତି।
ତେବେ ସମଲିଙ୍ଗୀ ଯୋଡିକୁ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ସିଜେଆଇ ଅନୁମତି ଦେଇଛନ୍ତି। ସିଜେଆଇ ଆହୁରି କହିଛନ୍ତି, ସମଲିଙ୍ଗୀ ବିବାହ ଚିନ୍ତାଧାରା କେବଳ ସହରରେ ସୀମିତ ନାହିଁ। ଗାଁରେ ଚାଷ କାମ କରୁଥିବା ମହିଳା ମଧ୍ୟ ସମଲିଙ୍ଗୀ ବିବାହକୁ ଅନୁମତି ଦେବାକୁ ଦାବି କରୁଛନ୍ତି। ତେଣୁ ସମଲିଙ୍ଗୀ ସମ୍ପର୍କ ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସିଜେଆଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଛନ୍ତି, ସମସ୍ତଙ୍କୁ ସାଥୀ ଚୟନ କରିବା ଅଧିକାର ମିଳିବା ଦରକାର। ଜୀବନ ସାଥୀ ଚୟନ କରିବାରେ ସ୍ବାଧୀନତା ରହୁ। କୋର୍ଟ ଆଇନ ତିଆରି କରେନି, ବାଖ୍ୟା କରେ। ସରକାର ଏହି ମାମଲାରେ କମିଟି ଗଠନ କରନ୍ତୁ। କମିଟିରେ ସମଲିଙ୍ଗୀ ଦମ୍ପତିଙ୍କୁ ପରିବାର ରୂପରେ ରାସନ କାର୍ଡରେ ସାମିଲ କରିବା, ଜଏଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ନାମାଙ୍କନ କରିବା ଆଦି ଉପରେ ନିଷ୍ପତ୍ତି ନେବ ।
ଏହା ସହ କୋର୍ଟ କହିଛନ୍ତି, ସମଲିଙ୍ଗୀ ବିବାହ ମାନ୍ୟତା ଦେବା ସଂସଦର ଅଧିକାର । ମାନ୍ୟତା ନଦେବା ପରୋକ୍ଷ ଭାବେ ସ୍ବାଧୀନତାର ଉଲ୍ଲଂଘନ । ଯଦି ଦୁଇଜଣ ସମଲିଙ୍ଗୀ ବିବାହ କରିବାକୁ ଚାହୁଁଛନ୍ତି , ତେବେ ସେମାନେ ପ୍ରଥମେ ନିଜକୁ ସମଲିଙ୍ଗୀ ପୁରୁଷ ଓ ସମଲିଙ୍ଗୀ ମହିଳା ଭାବେ ଚିହ୍ନଟ କରିବାକୁ ପଡ଼ିବ । ଏହାପରେ ସେମାନେ ସ୍ବତନ୍ତ୍ର ବିବାହ ଆଇନ୍ ଅଧୀନରେ ବିବାହ କରି ପାରିବେ । ସମଲିଙ୍ଗୀ ଦମ୍ପତିଙ୍କ ସଂରକ୍ଷଣ ପ୍ରତି କେନ୍ଦ୍ର ସରକାର ପଦକ୍ଷେପ ନେବା ଉଚିତ । ସେମାନଙ୍କ ପ୍ରତି ଭେଦଭାବ ଯେପରି ନହୁଏ , ସେଥିପ୍ରତି ଧ୍ୟାନ ଦେବା ଉଚିତ ।
ଗତ ମେ ୧୧ ରେ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ସମଲିଙ୍ଗୀ ବିବାହ ସପକ୍ଷ, ବିପକ୍ଷ ଓ ସାମାଜିକ ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟରେ ପଡିଥିବା ଅନେକ ପିଟିସନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟରେ ଏନେଇ ୨୦ଟି ଆବେଦନ କରାଯାଇଛି। ସ୍ପେଶାଲ ମ୍ୟାରେଜ ଆକ୍ଟ ଆଧାରରେ ସମଲିଙ୍ଗୀ ବିବାହକୁ ସ୍ବୀକୃତି ଦେବାକୁ କୋର୍ଟରେ ଆବେଦନ କରାଯାଇଛି ।