ଉତ୍ତରକାଶୀ ହିମସ୍ଖଳନ ଘଟଣା: ଏଭରେଷ୍ଟ ଏବଂ ମକାଲୁ ଚଢିଥିବା ପ୍ରଥମ ଭାରତୀୟ ମହିଳା ପର୍ବତାରୋହୀଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଥମ ମହିଳା ମାଉଣ୍ଟ ଏଭରେଷ୍ଟ ଏବଂ ମକାଲୁ ଚଢିଥିବା ପର୍ବତାରୋହୀ ସବିତା କଂସଓ୍ଵାଲ(୨୬)ଙ୍କ ହିମସ୍ଖଳନ ଯୋଗୁଁ ମୃତ୍ୟୁ ଘଟିଛି।ସେ ମାତ୍ର ୧୬ ଦିନରେ ମାଉଣ୍ଟ ଏଭରେଷ୍ଟ ଏବଂ ମାଉଣ୍ଟ ମକାଲୁ ଚଢି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ତେବେ ମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀରେ ନେହେରୁ ପର୍ବତାରୋହୀ ସଂସ୍ଥା(ଏନଆଇଏମ)ର ପ୍ରଶିକ୍ଷଣପ୍ରାପ୍ତ ପର୍ବତାରୋହୀ ଏବଂ ପ୍ରଶିକ୍ଷକଙ୍କ ଏକ ଦଳ ହିମସ୍ଖଳନର ଶିକାର ହୋଇଥିଲେ।
ସଂସ୍ଥାର ପ୍ରଶିକ୍ଷକ ଭାବେ କାର୍ଯ୍ୟରତ କଂସଓ୍ଵାଲ ମେ ୧୨ରେ ୧୬ତମ ଦିନରେ ବିଶ୍ଵର ସର୍ବୋଚ୍ଚ ଗିରିଶୃଙ୍ଗ(୮୮୪୮ ମିଟର) ଚଢିବାରେ ସଫଳ ହୋଇଥିଲେ। ପୁଣି ଅଳ୍ପଦିନରେ ମେ ୨୮ରେ ମାଉଣ୍ଟ ମକାଲୁ(୮୪୮୫ ମିଟର) ଚଢି ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ। ମାଉଣ୍ଟ ମକାଲୁ ହେଉଛି ବିଶ୍ଵ ପଞ୍ଚମ ଗିରିଶୃଙ୍ଗ। ସେ ଦେଶର ପ୍ରଥମ ମହିଳା ଭାବେ ଉଭୟ ଏଭରେଷ୍ଟ ଏବଂ ମକାଲୁ ଚଢିବାର କୀର୍ତ୍ତିମାନ ରଚିଛନ୍ତି।
କଂସଓ୍ଵାଲ ଉତ୍ତରକାଶୀର ଲଣ୍ଠୁର ଗାଁ ବାସିନ୍ଦା। ସେ ଡୋକ୍ରାନି ବମାକ ଗ୍ଲାସିୟରରେ ହିମସ୍ଖଳନର ଶିକାର ୪୧ ପ୍ରଶିକ୍ଷଣପ୍ରାପ୍ତ ପର୍ବତାରୋହୀ ଗ୍ରୁପର ସଦସ୍ୟ ଥିଲେ। ଏହି ଗ୍ରୁପ ମାଉଣ୍ଟ ଦ୍ରୌପଦୀର ଦଣ୍ଡା ୨ ଗିରିଶୃଙ୍ଗ(୫୬୭୦)ରୁ ଫେରୁଥିବା ବେଳେ ଅଘଟଣାର ଶିକାର ହୋଇଛନ୍ତି।
ଉତ୍ତରକାଶୀର ଅତିରିକ୍ତ ଜିଲ୍ଲାପାଳ ତିରଥ ପଲ୍ ସିଂହ କଂସଓ୍ଵାଲଙ୍କ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଏ ପର୍ଯ୍ୟନ୍ତ ହିମସ୍ଖଳନରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଂସଓ୍ଵାଲ ସାମିଲ୍। ସେ ଏନଆଇଏମରେ ପ୍ରଶିକ୍ଷକ ଭାବେ କାମ କରୁଥିଲେ।
ସେ କହିଛନ୍ତି ବୁଧବାର ସକାଳେ ଜାରି ଉଦ୍ଧାରକାର୍ଯ୍ୟ ଅଭିଯାନରେ ୧୫ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛୁ। ରେସ୍କ୍ୟୁ ଅପରେସନରେ ଆର୍ମି ଏବଂ ଭାରତୀୟ ବାୟୁସେନାର ହେଲିକପ୍ଟର ନିୟୋଜିତ ଅଛନ୍ତି। ବାକିଙ୍କ ସନ୍ଧାନ ଜାରି ରହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳ ପ୍ରାୟ ୮ଟା ୪୫ରେ ହିମସ୍ଖଳନ ଘଟିଥିଲା। ଏହାର ତଳେ ଚାପି ହୋଇ ଯାଇଥିଲେ ୪୧ ପର୍ବତାରୋହୀ। ସେମାନଙ୍କ ମଧ୍ୟରେ ୩୪ ପ୍ରଶିକ୍ଷଣପ୍ରାପ୍ତ ଏବଂ ସାତ ଜଣ ପ୍ରଶିକ୍ଷକ ସାମିଲ୍ ଥିଲେ।
ବରଫରେ ଫଶି ରହିଥିବା ଟ୍ରାକରଙ୍କ ଉଦ୍ଧାର ନିମନ୍ତେ ଭାରତୀୟ ବାୟୁସେନା (ଆଇଏଏଫ) ୨ଟି ଚିତା ହେଲିକପ୍ଟର ମୂତୟନ କରିଛନ୍ତି। ରିପୋର୍ଟ ଅନୁସାରେ ଦ୍ରୌପଦୀ କା ଡଣ୍ଡା ୫ ହଜାର ୬୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଉତ୍ତରକାଶୀ ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟବାଲ ଏଭଲାଞ୍ଚରେ ଫଶିଥିବା ଲୋକଙ୍କ ମଧ୍ୟରେ ଏନଆଇଏମର ଟ୍ରେନି ପର୍ବତାରୋହୀ ଓ ସେମାନଙ୍କ ପ୍ରଶିକ୍ଷକମାନେ ଥିବା କହିଛନ୍ତି।