କେନ୍ଦ୍ର ସରକାରଙ୍କୁ ଆଠ ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ

ସୁପ୍ରିମକୋର୍ଟ ଗୁରୁବାର ଜମ୍ମୁ-କାଶ୍ମୀରକୁ ପୁର୍ଣ୍ଣ ରାଜ୍ୟ ମାନ୍ୟତା ଦେବା ଦାବିରେ ଦାଖଲ ଯାଚିକା ଉପରେ ଶୁଣାଣି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାରଙ୍କୁ ଆଠ ସପ୍ତାହ ଭିତରେ ଜବାବ ଦେବାକୁ କହିଛନ୍ତି । ଏହା ସହିତ ଶୁଣାଣି ସମୟରେ ପହଲଗାମରେ ଘଟିଥିବା ଆତଙ୍କୀ ହମଲାର ମଧ୍ୟ ଉଲ୍ଲେଖ କରିଛନ୍ତି । ଅଦାଲତ କହିଛନ୍ତି, ପହଲଗାମରେ ନିକଟରେ ଘଟିଥିବା ଆତଙ୍କୀ ହମଲା ପରି ଘଟଣାକୁ ଅଣଦେଖା କରାଯାଇ ପାରିବ ନାହିଁ ।ପ୍ରଧାନ ବିଚାରପତି ବିଆର ଗବାଇ ଓ ବିଚାରପତି କେ ବିନୋଦ ଚନ୍ଦ୍ରନଙ୍କ ପୀଠ ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଆଡଭୋକେଟ୍ ଗୋପାଳ ଶଙ୍କରନାରାୟଣନଙ୍କୁ କହିଛନ୍ତି ଯେ, ଆପଣ ପହଲଗାମରେ ଯାହା ଘଟିଲା ତାକୁ ଅଣଦେଖା କରି ପାରିବେ ନାହିଁ ।

ଦେଶର ସର୍ବୋଚ୍ଚ ଅଦାଲତ ଏହି ଟିପ୍ପଣୀ ସେହି ସମୟରେ ଦେଇଛନ୍ତି, ଯେତେବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଯାଚିକାର ବିରୋଧ କରି କହିଛନ୍ତି ଯେ, ନିର୍ବାଚନ ପରେ ରାଜ୍ୟକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦିଆଯିବ । ମାତ୍ର ଜମ୍ମୁ-କାଶ୍ମୀରର ସ୍ଥିତିକୁ ଦେଖି ଏହି ପ୍ରସଙ୍ଗ ଏବେ ଉଠିବା ଉଚିତ୍ ନୁହେଁ । ଆମେ ଆଶ୍ୱାସନ ଦେଇଛୁ ଯେ, ନିର୍ବାଚନ ପରେ ରାଜ୍ୟ ମାନ୍ୟତା ମିଳିବ । ଏହି କ୍ଷେତ୍ରର ସ୍ଥିତି ସ୍ୱତନ୍ତ୍ର ରହିଛି । ଆପଣଙ୍କ ନିର୍ଦ୍ଦେଶ ନେବାକୁ ମୁଁ ପ୍ରସ୍ତୁତ, ଆପଣ ୮ ସପ୍ତାହର ସମୟ ଦିଅନ୍ତୁ । ବରିଷ୍ଠ ଆଇନଜୀବୀ ଶଙ୍କର ନାରାୟଣନ କହିଛନ୍ତି, ୨୦୨୩ ଡିସେମ୍ବରରେ ଅନୁଚ୍ଛେଦ ୩୭୦କୁ ଚ୍ୟାଲେଞ୍ଜ ଦେଇଥିବା ଯାଚିକା ଉପରେ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କେନ୍ଦ୍ର ସରକାରଙ୍କ ଆଶ୍ୱାସନକୁ ଭରସା କରି ରାଜ୍ୟ ମାନ୍ୟତା ପ୍ରସଙ୍ଗରେ ନିଷ୍ପତ୍ତି ଶୁଣାଇ ନ ଥିଲେ । ଉକ୍ତ ନିଷ୍ପତ୍ତିକୁ ୨୧ ମାସ ବିତି ସାରିଛି । ହେଲେ ଜମ୍ମୁ-କାଶ୍ମୀରକୁ ଏ ପର୍ଯ୍ୟନ୍ତ ରାଜ୍ୟ ମାନ୍ୟତା ମିଳି ପାରିନି ।

କଲେଜ ଶିକ୍ଷକ ଜାହୁର ଅହମ୍ମଦ ଭଟ୍ଟ ଓ ସାମାଜିକ କର୍ମୀ ଖୁର୍ସିଦ ଅହମ୍ମଦ ମଲିକ ଏହି ଯାଚିକା ଦାଖଲ କରିଛନ୍ତି । ସେମାନଙ୍କ କହିବା କଥା ରାଜ୍ୟ ମାନ୍ୟତା ନ ମିଳିବା ନାଗରିକଙ୍କ ଅଧିକାରକୁ ପ୍ରଭାବିତ କରୁଛି । ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ(ଜମ୍ମୁ-କାଶ୍ମୀର ଓ ଲଦାଖ) ବିଭାଜିତ କରାଯାଇଥିଲା । ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାୟର ହୋଇଥିଲା ।

Related Articles

Back to top button