
ଲକ୍ଷ୍ନୌରେ ଅକ୍ଟୋବର ୩୦ ଯାଏ ୧୪୪ ଧାରା ଲାଗୁ
ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରି ଦିଆଯାଇଛି। ଅର୍ଥାତ୍ ଏହି ସମୟରେ କୌଣସି ବି ପ୍ରକାର ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଲକ୍ଷ୍ନୌ କମିଶନରେଟ୍ ପୋଲିସ ତରଫରୁ ଏହି ଆଦେଶ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ସେପ୍ଟେମ୍ବର ୬-୭ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମୀ ପୂଜା, ଇଦ୍-ଏ-ମିଲାଦ୍, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୨୨ରେ ଦୁର୍ଗା ମହାଅଷ୍ଟମୀ, ଅକ୍ଟୋବର ୨୩ରେ ମହାନବମୀ, ଅକ୍ଟୋବର ୨୪ରେ ଦଶହରା ପର୍ବ ରହିଛି। ଏହା ସହିତ ଲକ୍ଷ୍ନୌରେ କେତେକ ପ୍ରବେଶ ପରୀକ୍ଷା ମଧ୍ୟ ଆୟୋଜନ ହେବାର ଅଛି, ତେଣୁ ଏହାକୁୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
ଆଦେଶରେ ଆହୁରି କୁହାଯାଇଛି, ୧୪୪ ଧାରା ଲାଗୁ ରହିଥିବା ସମୟରେ କୌଣସି ବି ପ୍ରକାର ଧାରଣା, ପ୍ରଦର୍ଶନ, ସରକାରୀ ଅଫିସ୍ ଏବଂ ବିଧାନଭବନ ଆଖପାଖର ୧ କିମି ପରିଧି ମଧ୍ୟରେ ଡ୍ରୋନ୍ ଶୁଟିଂ, ଧାରୁଆ ଅସ୍ତ୍ରଶସ୍ତ୍ର, ଜ୍ୱଳନଶୀଳ ପଦାର୍ଥ ଆଦି ଧରି ଚାଲିବା ମନା। ଯଦି ମଝିରେ ଏହି ଆଦେଶ ପ୍ରତ୍ୟାହୃତ ନ ହେଲା, ତା’ ହେଲେ ଏହା ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାରି ରହିବ।