ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ: ଟ୍ବିଟ କଲେ ମେହବୁବା ମୁଫତି

ଶ୍ରୀନଗର : ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି ଦାବି କରିଛନ୍ତି ଯେ ତାଙ୍କୁ ଉତ୍ତର କଶ୍ମୀରର ପଟ୍ଟନ ସହରକୁ ଯିବାକୁ ବାରଣ କରାଯାଇ ଘରେ ନଜର ବନ୍ଦୀ ରଖାଯାଇଛି। ସେ ଟୁଇଟ କରି କହିଛନ୍ତି ଯେ ଯେତେବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଶ୍ମୀରରେ ବୁଲୁଥିଲେ, ସେତେବେଳେ କଶ୍ମୀରରେ ପରିସ୍ଥିତିର ସ୍ବାଭାବିକତା ନେଇ ଭାଷଣ ଦେଉଥିଲେ।

କିନ୍ତୁ ମୁଁ କେବଳ ଜଣେ କର୍ମୀଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ପଟ୍ଟନ ଯିବାକୁ ଇଚ୍ଛା ପ୍ରକାଶ କରିବାରୁ ମତେ ନଜର ବନ୍ଦୀ କରାଯାଇଛି। ଶାହା କହୁଛନ୍ତି ସ୍ଥିତି ସାମାନ୍ୟ, କିନ୍ତୁ ମୁଁ ଘରେ ନଜର ବନ୍ଦୀ ରହିଛି। ସେ ଲେଖିଛନ୍ତି ଯେ ଯଦି ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମୌଳିକ ଅଧିକାର ଏତେ ସହଜରେ ସ୍ଥଗିତ ହୋଇପାରୁଛି, ତେବେ ସାଧାରଣ ଲୋକଙ୍କ ଦୁଃଖ କଳ୍ପନା କରାଯାଇପାରିବ ନାହିଁ।

କିଛି ଦିନ ପୂର୍ବରୁ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ଅଧ୍ୟକ୍ଷା ମେହବୁବା ମୁଫତି ଅଭିଯୋଗ କରିଛନ୍ତି ଯେ ଭାରତୀୟ ଜନତା ପାର୍ଟି ଜମ୍ମୁ ଅଞ୍ଚଳରେ ପାହାଡ଼ିଆ ଏବଂ ଗୁର୍ଜର ସମ୍ପ୍ରଦାୟଙ୍କୁ ପରସ୍ପର ବିରୁଦ୍ଧରେ ଲଢ଼ାଇବାକୁ ଚେଷ୍ଟା କରୁଛି।

ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ, ଗତ କିଛି ଦିନ ହେବ ପାହାଡ଼ିଆ ସମ୍ପ୍ରଦାୟ ପାଇଁ ସଂରକ୍ଷଣ ନେଇ ଚର୍ଚ୍ଚା ହେଉଥିବାରୁ ପିର ପଞ୍ଜାଲ ଅଞ୍ଚଳରେ ବହୁତ ତିକ୍ତତା ଦେଖାଦେଇଛି। ଭାଜପା ଭାଇ ଭାଇ ମଧ୍ୟରେ ଶତ୍ରୁତା ସୃଷ୍ଟି କରିଛି। ମୁଫତି କହିଛନ୍ତି ଯେ ପାହାଡ଼ିଆ ଏବଂ ଗୁର୍ଜର ସମ୍ପ୍ରଦାୟ ଶତାବ୍ଦୀ ଧରି ଏକାଠି ରହୁଛନ୍ତି ଏବଂ ପରସ୍ପର ବିରୋଧରେ ଏଢ଼େଇ ବନ୍ଦ କରିବା ଉଚିତ।

Related Articles

Back to top button