
ନିଜ ଇସ୍ତଫା ନିଷ୍ପତ୍ତିର ପୁନର୍ବିଚାର ପାଇଁ ୨-୩ ଦିନ ସମୟ ମାଗିଲେ ଶରଦ ପାୱାର
ନୂଆଦିଲ୍ଲୀ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଥିଲେ। ସେ ଆଜି ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଥିଲେ। ଏହି ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଏବେ ଶରଦ ପାୱାର ନିଜର ନିଷ୍ପତ୍ତି ବଦଳାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଜାତୀୟ ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଶରଦ ପାୱାର ଘୋଷଣା କରିବା ପରେ ଦଳରେ ତାଙ୍କୁ ମନାଇବା ପାଇଁ ଉଦ୍ୟମ ଜୋରଦାର ହୋଇଛି। ଏ ମଧ୍ୟରେ ଶରଦ ପାୱାର ନିଜ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ଜଣାପଡ଼ିଛି। ତାଙ୍କ ପୁତୁରା ତଥା ମହାରାଷ୍ଟ୍ର ବିରୋଧୀ ଦଳ ନେତା ଅଜିତ ପାୱାର କହିଛନ୍ତି ଯେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବେ ବୋଲି ଶରଦ ପାୱାର ଏନସିପି ନେତାମାନଙ୍କୁ କହିଛନ୍ତି। ଏଥିପାଇଁ ସେ ଦୁଇ-ତିନି ଦିନ ସମୟ ମାଗିଛନ୍ତି। କିନ୍ତୁ ସେ ସର୍ତ୍ତ ରଖିଛନ୍ତି ଯେ, ମୋ ଇସ୍ତଫା ଘୋଷଣାକୁ ନେଇ ଯେଉଁ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି, ସେମାନେ ଏହାକୁ ବନ୍ଦ କରି ଘରକୁ ଗଲେ ହିଁ ମୁଁ ମୋ ନିଷ୍ପତ୍ତିକୁ ପୁନର୍ବିଚାର କରିବି।
ଉଲ୍ଲେଖଯୋଗ୍ୟ, ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ହଠାତ ଏଭଳି ବଡ଼ ଘୋଷଣା କରିଥିଲେ ୮୨ ବର୍ଷୀୟ ଶରଦ ପାୱାର। ସେ କହିଥିଲେ, ‘‘ନୂତନ ପିଢ଼ି ଦଳକୁ ପରିଚାଳନା କରିବାର ଇଏ ହେଉଛି ପ୍ରକୃଷ୍ଟ ସମୟ। ତେଣୁ ଏନସିପିର ଏକ କମିଟି ବସି କିଭଳି ପରବର୍ତ୍ତୀ ସଭାପତି ନିର୍ବାଚିତ ହେବେ ତାହା ସ୍ଥିର କରନ୍ତୁ।’’ ଏହି ଘୋଷଣା କରି ଶରଦ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ଯେ ସେ ରାଜନୀତିରୁ ସନ୍ୟାସ ନେବେ ନାହିଁ।