
ସିସୋଦିଆଙ୍କୁ ଆଉ ୨ ଦିନ ସିବିଆଇ ହାଜତରେ ରହିବାକୁ ପଡ଼ିବ: ମାର୍ଚ୍ଚ ୧୦ରେ ଜାମିନ ଆବେଦନ ଶୁଣାଣି
ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ହାଜତ ମିଆଦ ଆଉ ୨ ଦିନ ବଢ଼ିଛି। ସିସୋଦିଆଙ୍କୁ ଆଉ ୨ ଦିନ ସିବିଆଇ ହାଜତରେ ରହିବାକୁ ପଡ଼ିବ ଏବଂ ମାର୍ଚ୍ଚ ୧୦ରେ ଜାମିନ ଆବେଦନର ଶୁଣାଣି ହେବ। ଆସନ୍ତା ସୋମବାର ସିସୋଦିଆଙ୍କୁ ଦିଲ୍ଲୀ କୋର୍ଟରେ ହାଜର କରାଯିବ। ଉଲ୍ଲେଖଯୋଗ୍ୟ, ଅବକାରୀ ଦୁର୍ନୀତି ମାମଲାରେ ଗତ ରବିବାର ରାତିରେ ଗିରଫ ହୋଇଥିବା ସିସୋଦିଆ ଗତକାଲି ଜାମିନ ଆବେଦନ କରିଥିଲେ। ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ମାର୍ଚ୍ଚ ୧୦ ତାରିଖ ଅପରାହ୍ନ ୨ଟାରେ ଜାମିନ ଆବେଦନର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ସିସୋଦିଆଙ୍କ ଆବେଦନ ଉପରେ ସିବିଆଇ ମଧ୍ୟ ମାର୍ଚ୍ଚ ୧୦ ତାରିଖରେ ଏହାର ଜବାବ ଦାଖଲ କରିବ। ସିସୋଦିଆ ତାଙ୍କ ଜାମିନ ଆବେଦନରେ ଦର୍ଶାଇଛନ୍ତି ଯେ ଯେତେବେଳେ ବି ତାଙ୍କୁ ଜେରା ପାଇଁ ଡକାଯିବ ସେ ସମୟରେ ସେ ସିବିଆଇରେ ହାଜର ହେବେ।