
ମଣିପୁରରେ ସରକାରୀ କାର୍ଯ୍ୟାଳୟରେ ନିଆଁ ଲଗାଇଲେ ପ୍ରଦର୍ଶନକାରୀ
ମଣିପୁରରେ ଲଗାତାର ହିଂସାତ୍ମକ ଘଟଣା ଘଟି ଚାଲିଛି । ଏବେ ପୁଣି ଥରେ ମେତେଇ ସମୁଦାୟର ଲୋକ ଓ ସୁରକ୍ଷାବଳ ମଧ୍ୟରେ ସଂଘର୍ଷ ଘଟିଛି । ଏହି ସମୟରେ ଉତ୍ତ୍ୟକ୍ତ ପ୍ରଦର୍ଶନକାରୀ ସରକାରୀ ବଙ୍ଗଳାରେ ନିଆଁ ଲଗାଇ ଦେଇଛନ୍ତି । ଏହି ଘଟଣାରେ ପୋଲିସ ମେତେେଇ ସମୁଦାୟ ନେତା ସମେତ ୪ ଜଣଙ୍କୁ ଗିରଫ କରିଛି ।ସୋମବାର ମଣିପୁରର ଅନେକ ଅଞ୍ଚଳରେ ହିଂସା ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଛନ୍ତି । ଇମ୍ଫାଲ ପଶ୍ଚିମରେ କ୍ୱାକେଇଥେଲ ଓ ସିଙ୍ଗଜାମେଇରେ ପ୍ରଦର୍ଶନକାରୀ ସୁରକ୍ଷାବଳ ଉପରେ ହମଲା କରିଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ ଓ ରବଟ ବୁଲେଟ୍ ପ୍ରୟୋଗ କରିବାକୁ ପଡିଛି ।ବିକ୍ଷୋଭକାରୀ ଇମ୍ଫାଲ ପୂର୍ବ ଜିଲ୍ଲାର ସବ ଡିଭିଜନାଲ କଲେକ୍ଟରଙ୍କ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଅନେକ ସରକାରୀ ରେକର୍ଡ ଓ କାଗଜପତ୍ର ଜଳପୋଡି ପାଉଁଶ ହୋଇ ଯାଇଛି । ପୋଲିସ ଅଭିଯୁକ୍ତଙ୍କ ସନ୍ଧାନରେ ଜୁଟି ଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି ।
ଇମ୍ଫାଲ ପୂର୍ବର ୱାଙ୍ଗଖେଇ, ୟାଇରିପୋକ ଓ ଖୁରାଇ ପରି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟଣା ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀ ରାସ୍ତାରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରିଛନ୍ତି । ପୋଲିସ ଅନୁସାରେ ଅନେକ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ରହିଛି । ବିକ୍ଷୋଭକାରୀ ଅନେକ ରାସ୍ତାରେ ବାଉଁଶ ଲଗାଇ ରାସ୍ତା ଜାମ କରିଛନ୍ତି । ଏପରିକି ଇମ୍ଫାଲ ଏୟାରପୋର୍ଟକୁ ଯାଉଥିବା ରାସ୍ତାକୁ ମଧ୍ୟ ବନ୍ଦ କରିଛନ୍ତି ବିକ୍ଷୋଭକାରୀ । ଏହି ରାସ୍ତାକୁ ଖାଲି କରିବା ପାଇଁ ପୋଲିସକୁ ନାକଦେମ ହେବାକୁ ପଡିଛି । ସବୁଠୁ ବଡ କଥା ପ୍ରଦର୍ଶନକାରୀଙ୍କ ମଧ୍ୟରେ ମହିଳା ବି ସାମିଲ । ମହିଳାମାନେ ଖୁରଇ ଅଞ୍ଚଳରେ ଟର୍ଚଲାଇଟ ଶୋଭାଯାତ୍ରା ବାହାର କରି ରାଜ୍ୟରେ ନୂତନ ସରକାର ଦାବି କରିଛନ୍ତି । ସୂଚନାଯୋଗ୍ୟ, ବର୍ତ୍ତମାନ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ରହିଛି । ଗତ ଦିନରେ ପ୍ରଶାସନ ମଣିପୁରର ୫ ଜିଲ୍ଲାରେ ଇଣ୍ଟରନେଟ୍ ସେବା ଉପରେ ରୋକ ଲଗାଇଥିଲେ ।