
ଆମେରିକା ଯିବାକୁ ହେଲେ ଯାତ୍ରୀଙ୍କୁ ଦେବାକୁ ପଡ଼ିବ ନିଜର ସାମାଜିକ ଗଣମାଧ୍ୟମର ତଥ୍ୟ
ଆମେରିକାର ସୁରକ୍ଷା ଏବଂ ଅଖଣ୍ଡତା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରବାସୀଙ୍କ ଆଣିଥିବା ଆଇନ ଆହୁରି କଠୋର ହୋଇଛି । ଏଣିକି ଆମେରିକା ଭିସା ମିଳିବା ବହୁତ କଠିନ ହେବ । ଆମେରିକା ଯିବାକୁ ହେଲେ ଯାତ୍ରୀଙ୍କୁ ନିଜର ସାମାଜିକ ଗଣମାଧ୍ୟମର ତଥ୍ୟ ଦେବାକୁ ପଡ଼ିବ । ନ ଚେତ ଭିସା ଆବେଦନକୁ ରଦ୍ଦ କରିଦିଆଯାଇପାରେ ।
ଭାରତରେ ଥିବା ଆମେରିକା ଦୂତାବାସ ଭିସା ଆବେଦନକାରୀଙ୍କ ବିଗତ ୫ ବର୍ଷର ସୋସିଆଲ୍ ମିଡ଼ିଆ ତଥ୍ୟ ମାଗିଛି । ସମସ୍ତ ସୋସିଆଲ୍ ମିଡିଆ ଆକାଉଣ୍ଟ ଏବଂ ୟୁଜର୍ ନେମ୍ ର ତଥ୍ୟ ଦେବାକୁ ପଡ଼ିବ । ଯଦି କେହି ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କଲେ ତେବେ ତାଙ୍କର ଭିସା ଆବେଦନ ତତ୍କାଳ ରଦ୍ଦ କରାଯିବ । ଆମେରିକା ଦୂତାବାସ ତାର ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏକ୍ସର କହିଛି, “ଭିସା ଆବେଦନକାରୀମାନଙ୍କୁ DS-୧୬୦ ଭିସା ଆବେଦନରେ ବିଗତ ୫ ବର୍ଷ ମଧ୍ୟରେ ବ୍ୟବହୃତ ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟ, ୟୁଜରନେମ୍ କିମ୍ବା ହ୍ୟାଣ୍ଡେଲଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ପଡିବ,”। ଆବେଦନକାରୀମାନେ ଫର୍ମରେ ସ୍ୱାକ୍ଷର କରିବା ଏବଂ ଦାଖଲ କରିବା ପୂର୍ବରୁ ପ୍ରମାଣିତ କରିବା ଉଚିତ ଯେ ସେମାନଙ୍କର ଭିସା ଆବେଦନରେ ପ୍ରଦାନ କରାଯାଇଥିବା ସୂଚନା ସଠିକ୍ ଅଟେ ।
ଆହୁରି ମଧ୍ୟ କୁହାଯାଇଛି ଯଦି କୌଣସି ବ୍ୟକ୍ତି ସୋସିଆଲ୍ ମିଡ଼ିଆ ସମ୍ବନ୍ଧରେ କୌଣସି ତଥ୍ୟ ଗୋପନୀୟ ରଖନ୍ତି, ପରବର୍ତ୍ତୀ ମୁହୂର୍ତ୍ତରେ ଭିସା ତତକ୍ଷଣାତ ରଦ୍ଦ କରାଯିବ । ତ୍ୱରିତ ପ୍ରଭାବ ସ୍ୱରୁପ, F, M କିମ୍ବା J ଅଣ-ପ୍ରବାସୀ ଭିସା ପାଇଁ ଆବେଦନ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ସେମାନଙ୍କର ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟର ଗୋପନୀୟତା ସେଟିଂସ୍ ସାର୍ବଜନୀନ କରିବାକୁ ଅନୁରୋଧ କରାଯାଇଛି । ଯାହା ଦ୍ଵାରା ଆମେରିକାର ଆଇନ ଅନୁଯାୟୀ ସେମାନଙ୍କର ପରିଚୟ ଏବଂ ଆମେରିକାରେ ଗ୍ରହଣୀୟତା ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକୀୟ ତଦନ୍ତ କରାଯାଇପାରିବ।ଆମେରିକାର ବୈଦେଶିକ ବିଭାଗ ଛାତ୍ର ଭିସା ଆବେଦନର ପ୍ରକ୍ରିୟାକରଣ ପୁନଃ ଆରମ୍ଭ କରିବା ଘୋଷଣା କରିଥିଲେ । ଆମେରିକୀୟ ଦୂତାବାସ ସମସ୍ତ ଛାତ୍ର ଭିସା ଆବେଦନକାରୀଙ୍କୁ ପୃଷ୍ଠଭୂମି ଯାଞ୍ଚ ପାଇଁ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ସାର୍ବଜନୀନ କରିବାକୁ କହିଥିଲା।