
ଲୋକସଭାରେ ବିଚାରପତି ଯଶବନ୍ତ ବର୍ମାଙ୍କୁ ପଦରୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଗୃହୀତ
ଆହ୍ଲାବାଦ ହାଇକୋର୍ଟ ବିଚାରପତି ତଥା ତତ୍କାଳୀନ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ଟଙ୍କା ମିଳିବା ମାମଲାରେ ଅଡ଼ୁଆ ବଢ଼ିଛି । ଲୋକସଭାରେ ମଙ୍ଗଳବାର ବିଚାରପତି ବର୍ମାଙ୍କୁ ପଦରୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଗୃହୀତ ହୋଇଛି । ବାଚସ୍ପତି ଓମ୍ ବିର୍ଲା ପ୍ରସ୍ତାବକୁ ଗ୍ରହଣ କରିବା ସହିତ ପଦରୁ ହଟାଇବା ପ୍ରସ୍ତାବର ଆଧାରକୁ ଯାଞ୍ଚ କରିବାକୁ ତିନି ଜଣିଆ କମିଟି ଗଠନ କରିଛନ୍ତି । ଲୋକସଭାରେ କମିଟି ଗଠନ ଘୋଷଣା କରି ବାଚସ୍ପତି ବିର୍ଲା କହିଛନ୍ତି ଯେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ୧୪୬ ଜଣ ସାଂସଦଙ୍କ ଦ୍ୱାରା ସ୍ୱାକ୍ଷରିତ ମହାଭିଯୋଗ ପ୍ରସ୍ତାବକୁ ମଧ୍ୟ ଗୃହୀତ କରାଯାଇଛି । ଯାଞ୍ଚ ଅଧିନିୟମ ୧୯୬୮ (୩) ଏବଂ ଉପଧାରା ୨ ଅନୁସାରେ ଆସିଥିବା ବିଚାରପତି ବର୍ମାଙ୍କୁ ପଦରୁ ହଟାଇବାକୁ ଆସିଥିବା ପ୍ରସ୍ତାବରେ ତିନି ଜଣିଆ କମିଟି ଯାଞ୍ଚ କରିବେ । କମିଟିରେ ୨ ଜଣ ବରିଷ୍ଠ ବିଚାରପତି ରହିଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀ ଅଛନ୍ତି । ସେମାନେ ହେଲେ ସୁପ୍ରିମକୋର୍ଟ ବିଚାରପତି ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି, ଜଷ୍ଟିସ୍ ମନିନ୍ଦର ମୋହନ ଶ୍ରୀବାସ୍ତବ ଏବଂ କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ । ଏହି କମିଟି ବର୍ମାଙ୍କ ବିରୋଧରେ ଆସିଥିବା ମହାଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରିବା ସହିତ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ।
ସମ୍ବିଧାନର ଧାରା ୧୨୪(୪)ରେ ଜଜଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯିବାର ପୂରା ପ୍ରକ୍ରିୟା ରହିଛି । ଏହା ଅନୁସାରେ ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟର କୌଣସି ବି ଜଜଙ୍କୁ ପଦରୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଉପରେ ଲୋକସଭାରେ ଅତି କମରେ ୧୦୦ ସାଂସଦଙ୍କ ଦସ୍ତଖତର ଦରକାର । ଏହା ବ୍ୟତୀତ ରାଜ୍ୟସଭାର ୫୦ ପ୍ରତିଶତ ସାଂସଦଙ୍କ ସମର୍ଥନ ଜରୁରୀ । ଏହା ବ୍ୟତୀତ ମଞ୍ଜୁରୀ ପାଇଁ ଦୁଇ ତୃତୀୟାଂଶ ବହୁମତର ବି ନିୟମ ରହିଛି । ଯଦି ଦୁଇ ସଦନରେ ବହୁମତରେ ପ୍ରସ୍ତାବ ପାରିତ ହେଉଛି ତେବେ ଏହାକୁ ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ରାଷ୍ଟ୍ରପତିଙ୍କ ଦସ୍ତଖତ ପରେ ବିଚାରପତିଙ୍କୁ ପଦରୁ ହଟାଯାଏ ।
ଚଳିତ ବର୍ଷ ହୋଲିର ପୂର୍ବଦିନ ରାତିରେ ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନ ଆଉଟ୍ ହାଉସରେ ନିଆଁ ଲାଗିଥିଲା । ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଙ୍କୁ ଆୟତ୍ତ କରିଥିଲେ । ତେବେ ଏହି ସମୟରେ ଜଷ୍ଟିସ୍ ବର୍ମାଙ୍କ ଘରୁ ବିପୁଳ ପରିମାଣରେ ପୋଡ଼ା ନୋଟ୍ ଜବତ ହୋଇଥିଲା । ଏହି ଅଭିଯୋଗ ପରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟରୁ ତାଙ୍କର ମୂଳ କାର୍ଯ୍ୟସ୍ଥଳୀ ଯଥା ଆହ୍ଲାବାଦ ହାଇକୋର୍ଟକୁ ବଦଳି ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।