ଜମ୍ମୁ କାଶ୍ମୀରର ପ୍ରତ୍ୟେକ ଜିଲ୍ଲାରେ ମୁତୟନ ହେବେ ସ୍ୱତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ
ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରଠାରୁ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି। ରାଜ୍ୟର ସୁରକ୍ଷା ବ୍ୟବସ୍ଥା ସହ ରାଜନୈତିକ ଦଳର କର୍ମକର୍ତ୍ତାମାନଙ୍କୁ ମିଳୁଥିବା ସୁରକ୍ଷାକୁ ନେଇ ଯେପରି କୌଣସି ପ୍ରଶ୍ନ ବା ବିବାଦ ସୃଷ୍ଟି ନ ହୁଏ ସେଥିପାଇଁ ଉଦ୍ୟମ କରାଯାଉଛି। ସେଥିପାଇଁ ସେ ଏବେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ୱତନ୍ତ୍ର ପୁଲିସ ପର୍ଯ୍ୟବେକ୍ଷକ ମୁତୟନ କରିବାକୁ ବିଚାର କରୁଛନ୍ତି। ଖୁବଶୀଘ୍ର ସେମାନଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି।ଅଗଷ୍ଟ ୨୨ତାରିଖରେ ଦିଲ୍ଲୀରେ ଦୀର୍ଘସମୟର ଅଭିଜ୍ଞ ଓ ତୀକ୍ଷ୍ଣ ପର୍ଯ୍ୟବେକ୍ଷକଙ୍କ ବୈଠକ ବସିବ। ଏହି ସମୟରେ ନିର୍ବାଚନ ସମୟରେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକୁ ଆୟୋଗ ସେମାନଙ୍କ ସାମ୍ନାରେ ରଖାଯିବ। ଏଥିସହିତ ଏହାର ମୁକାବିଲା ପାଇଁ ଆପଣାଯାଇଥିବା ପଦ୍ଧତି ସମ୍ପର୍କରେ ମଧ୍ୟ ସେମାନଙ୍କୁ ଅବଗତ କରାଯିବ।
ଏହାପରେ ହିଁ ଏହି ପର୍ଯ୍ୟବେକ୍ଷକମୁତୟନ ଘୋଷଣା କରାଯିବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଏଭଳି ସ୍ଥିତିରେ ଏହି ପର୍ଯ୍ୟବେକ୍ଷକମାନଙ୍କୁ ନିର୍ବାଚନ ସମୟରେ ନିଜ ଅଞ୍ଚଳରେ ରହିବାକୁ ପଡ଼ିବ। ଏଥିସହ ସ୍ଥାନୀୟ ପ୍ରଶାସନ ସହଯୋଗରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ।ବିଧାନସଭା ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କ ପ୍ରତ୍ୟେକ ଷଡ଼ଯନ୍ତ୍ରକୁ ସୁରକ୍ଷାବାହିନୀ ପଣ୍ଡ କରୁଛନ୍ତି। ରାଜୌରୀ ଜିଲ୍ଲାର ଦର୍ହାଲ ତହସିଲ ଅନ୍ତର୍ଗତ ସାଗରାୱତ ଜଙ୍ଗଲରେ ଥିବା ଏକ ଆତଙ୍କବାଦୀ ଆଶ୍ରୟସ୍ଥଳୀକୁ ମଙ୍ଗଳବାର ସୁରକ୍ଷା ବାହିନୀ ଧ୍ୱଂସ କରିଛି। ଏହାପରେ ଜଙ୍ଗଲରେ ବ୍ୟାପକ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କ କୌଣସି ସୁରାକ ମିଳିନଥିବା ବେଳେ ଜଙ୍ଗଲ ସଂଲଗ୍ନ ଜନବହୁଳ ଅଞ୍ଚଳ ଉପରେ ପୁଲିସ ନଜର ରଖିବା ଆରମ୍ଭ କରିଛି। ଜଙ୍ଗଲରେ ସୁରକ୍ଷା ବାହିନୀ ପାଟ୍ରୋଲିଂ କରୁଛନ୍ତି।