ଏଚ୍-୪ ଭିସାଧାରୀଙ୍କୁ ନେଇ ଆମେରିକାର ବଡ଼ ଘୋଷଣା

ଆମେରିକାରେ କାମ କରିବାକୁ ଯାଉଥିବା ଅଧିକାଂଶ ଭାରତୀୟଙ୍କୁ ଏଚ୍-୧ବି ଭିସା ଦିଆଯାଏ, ଯାହା ମାଧ୍ୟମରେ ସେମାନେ ଆଇଟି ଏବଂ ଇଞ୍ଜିନିୟରିଂ ଭଳି କ୍ଷେତ୍ରରେ କାମ କରନ୍ତି। ଏଚ୍-୧ବି ଭିସାଧାରୀଙ୍କ ଜୀବନସାଥୀଙ୍କୁ ମଧ୍ୟ ଆମେରିକାରେ କାମ କରିବାକୁ ଅନୁମତି ଦିଆଯାଇଛି। ଏଥିପାଇଁ ସେମାନଙ୍କୁ ଏଚ୍-୪ ଭିସା ଦିଆଯାଉଛି। ଏଚ୍-୪ ଭିସାଧାରୀଙ୍କୁ ନେଇ ଆମେରିକା ବଡ଼ ଘୋଷଣା କରିଛି, ଯେଉଁକାରଣରୁ ସେମାନେ ଏବେ ଅଧିକ ଦିନ ପର୍ଯ୍ୟନ୍ତ ଦେଶରେ କାମ କରିପାରିବେ।ଆମେରିକାର ହୋମଲାଣ୍ଡ ସିକ୍ୟୁରିଟି ଡିପାର୍ଟମେଣ୍ଟ (ଡିଏଚଏସ) ଏଚ୍‌-୧ବି ଏବଂ ଏଲ୍‌-୧ ଭିସାଧାରୀଙ୍କ ଜୀବନସାଥୀଙ୍କ ପାଇଁ ୱାର୍କ ପରମିଟ୍ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ସରକାର ଏହି ଲୋକମାନଙ୍କ ପାଇଁ ସ୍ୱୟଂଚାଳିତ ୱାର୍କ ପରମିଟ୍ ନବୀକରଣ ଅବଧିକୁ ୧୮୦ ଦିନରୁ ୫୪୦ ଦିନକୁ ବୃଦ୍ଧି କରିବେ। ସରଳ ଭାଷାରେ କହିବାକୁ ଗଲେ ଏଚ୍-୧ବି ଓ ଏଲ୍-୧ ଭିସାଧାରୀଙ୍କ ଜୀବନସାଥୀ ଏବେ ଆମେରିକାରେ ଅଧିକ ସମୟ କାମ କରିପାରିବେ। ୨୦୨୫ ଜାନୁଆରି ୧୩ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି ଆମେରିକା ସରକାର ଘୋଷଣା କରିଛନ୍ତି।

ତେବେ ନୂଆ ନିୟମ ଦ୍ୱାରା କେବଳ ୨୦୨୨ ମେ ୪ କିମ୍ବା ତା’ପରେ ଆବେଦନ କରିଥିବା ବ୍ୟକ୍ତିଙ୍କୁ ହିଁ ଫାଇଦା ମିଳିବ। ଭିସା ପ୍ରକ୍ରିୟାକରଣରେ ବିଳମ୍ବ ହେତୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଏହାକୁ ହ୍ରାସ କରିବା ଏହି ପରିବର୍ତ୍ତନର ଉଦ୍ଦେଶ୍ୟ। ନୂଆ ନିୟମ ଦ୍ୱାରା କାର୍ଯ୍ୟରେ ବାଧା ଦୂର ହେବ। ଗ୍ରୀନ୍ କାର୍ଡ ପାଇଁ ଆବେଦନ କରୁଥିବା ଏଚ୍-୧ବି ଭିସାଧାରୀ (ଏଚ୍-୪ ଭିସା)ଙ୍କ ପତ୍ନୀ ଓ ଏଲ୍-୧ ଭିସାଧାରୀ (ଏଲ୍-୨ ଭିସା)ଙ୍କ ଜୀବନସାଥୀ ସମସ୍ତେ ଏହି ନୂଆ ନିୟମର ଫାଇଦା ନେଇ ୱାର୍କ ପରମିଟ୍ ପାଇଁ ଆବେଦନ କରିପାରିବେ।ଡିଏଚ୍ଏସ୍ ମନ୍ତ୍ରୀ ଆଲେଜାନ୍ଦ୍ରୋ ଏନ୍ ମେୟରକାସ୍ କହିଛନ୍ତି, ୨୦୨୧ ଜାନୁଆରିରୁ ଯୁକ୍ତରାଷ୍ଟ୍ର ଆମେରିକାରେ ୧୬ ନିୟୁତରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଛି। ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗ କଂପାନିଗୁଡ଼ିକୁ ଏହି ପଦବୀ ପୂରଣ କରିବାରେ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି, କେତେକ ‘ନିଯୁକ୍ତି ପ୍ରାଧିକରଣ ଦସ୍ତାବିଜ’ (ଇଏଡି)ର ସ୍ୱୟଂଚାଳିତ ସମ୍ପ୍ରସାରଣ ଅବଧି ବଢ଼ାଇବା ଦ୍ୱାରା କଂପାନିଗୁଡ଼ିକ ଉପରେ ବୋଝ ପକାଉଥିବା ନିୟମକୁ ଦୂର କରିବାରେ ସହାୟକ ହେବ। ଏହା ସୁନିଶ୍ଚିତ କରିବ ଯେ ଲକ୍ଷ ଲକ୍ଷ ଲୋକ ଅର୍ଥନୀତିରେ ଯୋଗଦାନ ଜାରି ରଖିବେ।

Related Articles

Back to top button