ଏଣିକି ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ ଷ୍ଟାଫ୍ ସିଲେକ୍ସନ ପରୀକ୍ଷା ଆୟୋଜିତ ହେବ

ନୂଆଦିଲ୍ଲୀ: ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖବର । ଏଣିକି ଇଂରାଜୀ କି ହିନ୍ଦି ନୁହେଁ, ୧୨ଟି ଆଞ୍ଚଳିକ ଭାଷାରେ ଷ୍ଟାଫ୍ ସିଲେକ୍ସନ (ଏସଏସସି) ପରୀକ୍ଷା ଆୟୋଜିତ ହେବ । ସ୍ଥାନୀୟ ଭାଷାରେ ଏହି ପରୀକ୍ଷା ଆୟୋଜିତ ହେବା ଫଳରେ ସମସ୍ତ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ମିଳିପାରିବ । କେନ୍ଦ୍ର କର୍ମଚାରୀ, ଜନସାଧାରଣ ଅଭିଯୋଗ ଓ ପେନସନ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ଘୋଷଣା କରିଛନ୍ତି ।

ତେବେ ଆଜି ଏସଏସସି ପକ୍ଷରୁ ଜାରି ହୋଇଥିବା ଅଫିସିଆଲ ନୋଟିସ୍ ମୁତାବକ, ୧୩ଟି ଆଞ୍ଚଳିକ ଭାଷାରେ ମଲଟି ଟାସ୍କିଂ (ନନ ଟେକ୍ନିକାଲ) ଷ୍ଟାଫ ପରୀକ୍ଷା ୨୦୨୨ ଆୟୋଜିତ ହେବ । ସେଥିମଧ୍ୟରେ ଉର୍ଦୁ, ତାମିଲ, ମାଲାୟାଲମ, ତେଲୁଗୁ, କନ୍ନଡ଼, ଅସମିୟା, ବଙ୍ଗଳା, ଗୁଜରାଟୀ, କୋଙ୍କଣୀ, ମଣିପୁରୀ, ମରାଠୀ, ଓଡ଼ିଆ ଓ ପଞ୍ଜାବୀ ଭାଷା ସାମିଲ ରହିଛି । ଏହିସବୁ ସ୍ଥାନୀୟ ଭାଷାରେ ପରୀକ୍ଷା ଦେବା ଫଳରେ ପ୍ରାର୍ଥୀମାନେ ଅନେକ ଫାଇଦା ପାଇପାରିବେ ।

ଏ ବାବଦରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ଏହି ଐତିହାସିକ ପଦକ୍ଷେପ ପରେ ଧୀରେଧୀରେ ସମ୍ବିଧାନର ୮ମ ଅନୁସୂଚୀରେ ଉଲ୍ଲେଖ ଥିବା ସମସ୍ତ ଭାଷାକୁ ସାମିଲ କରିବାକୁ ପ୍ରୟାସ କରାଯାଉଛି । ଗତବର୍ଷ ନଭେମ୍ବର ମାସରେ କାଶୀ ତାମିଲ ସଙ୍ଗମମକୁ ଉଦଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବପୂରାତନ ଭାଷା ତାମିଲର ମହତ୍ତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଚାକିରି ଆଶାୟୀଙ୍କୁ ସମାନ ସୁବିଧା ମିଳିପାରିବ । ଦେଶରେ ଅନେକ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହୋଇପାରିବେ ।

Related Articles

Back to top button