ବୁଧବାର ଭୋର ୩ଟାରେ ପୃଥିବୀ ପୃଷ୍ଠରେ ଅବତରଣ କରିବେ ସୁନୀତା

ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲ୍ମୋର ଖୁବଶୀଘ୍ର ପୃଥିବୀକୁ ଫେରିବେ । ମହାକାଶଚାରୀଙ୍କୁ ଫେରାଇ ଆଣିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଛି । ନାସାର କ୍ରୁ-୧୦ ସଦସ୍ୟମାନେ ରବିବାର ସକାଳେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ବା ଆଇଏସଏସରେ ସଫଳତାର ସହ ପହଞ୍ଚିଛନ୍ତି । ତେବେ ନାସା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି । ବୁଧବାର ଭାରତୀୟ ସମୟ ଅନୁସାରେ ଭୋର ୩ଟାରେ ମହକାଶଚାରୀ ପୃଥିବୀ ପୃଷ୍ଠରେ ଅବତରଣ କରିବେ । ତେବେ ସ୍ପେସ୍ ଏକ୍ସର ମହାକାଶଯାନରେ ଉତ୍‌କ୍ଷେପଣ କରାଯାଇଥିବା ଡ୍ରାଗନ୍‌ କ୍ୟାପ୍‌ସୁଲରେ ଯାଇଥିବା ୪ ଜଣ ସଦସ୍ୟ ଭାରତୀୟ ସମୟ ସକାଳ ପ୍ରାୟ ୯ଟା ୪୦ ମିନିଟରେ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ଦୀର୍ଘ ଦିନର ପ୍ରତୀକ୍ଷା ପରେ ଏଲନ୍ ମସ୍କଙ୍କ ମହାକାଶ ଏଜେନ୍ସି ସ୍ପେସ୍ ଏକ୍ସର ରକେଟ୍ ଫାଲ୍‌କନ୍-୯ ଶୁକ୍ରବାର ଭାରତୀୟ ସମୟ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଉତ୍‌କ୍ଷେପଣ କରାଯାଇଥିଲା । ଆମେରିକାର ମହାକାଶ ଏଜେନ୍ସି ନାସା ଏହାକୁ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ କରିଥିଲା । ଆଇଏସ୍‌ଏସ୍‌କୁ ଯାଇଥିବା ନୂଆ ସଦସ୍ୟଙ୍କ ମଧ୍ୟରେ ନାସାର ଆନ୍ ମ୍ୟାକ୍‌ଲେନ ଓ ନିକୋଲ ଆୟର୍ସ, ଜାପାନର ମହାକାଶ ଏଜେନ୍ସି ଜାକ୍‌ସାର ତାକୁୟା ଓନିସି ଏବଂ ରୁଷିଆର ମହାକାଶ ଏଜେନ୍ସି ରସ୍‌କସ୍‌ମସ୍‌ର ମହାକାଶଚାରୀ କିରିଲ୍ ପେସ୍କୋଭ୍‌ ରହିଛନ୍ତି । ସୁନୀତା ୱିଲିୟମ୍ସ , ବୁଚ୍ ୱିଲ୍ମୋର ଏବଂ କ୍ରୁ-୯ର ଅନ୍ୟ ଦୁଇ ଜଣ ସଦସ୍ୟଙ୍କ ସ୍ଥାନ ନେବାକୁ ଏହି ୪ ଜଣ ମହାକାଶଚାରୀ ସେମାନଙ୍କ ଦାୟିତ୍ବ ନେଇ ବିଭିନ୍ନ ପ୍ରକ୍ରିୟା ଅନୁଧ୍ୟାନ କରିଛନ୍ତି ।

Related Articles

Back to top button