
ଗଣମାଧ୍ୟମ ସମାଜକୁ ବାଣ୍ଟିବାର କାମ କରି ପାରିବ ନାହିଁ, ହେଟ୍ ସ୍ପିଚ୍ ମାମଲାକୁ ନେଇ ମିଡିଆ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ହେଟ୍ ସ୍ପିଚ୍ ମାମଲାକୁ ନେଇ ମିଡିଆ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଟିପ୍ପଣି କରିଛନ୍ତି ସୁପ୍ରିମକୋର୍ଟ। ଶୁକ୍ରବାର ହେଟ୍ ସ୍ପିଚ୍ ସହ ଜଡିତ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଟିଭି ଚ୍ୟାନେଲ ଗୁଡିକର କାମ କରିବା ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସବୁକିଛି ଟିଆରପିରୁ ଚାଲୁଥିବାରୁ ଚ୍ୟାନେଲଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି। ତେବେ ଘୃଣା ସୃଷ୍ଟି କରୁଥିବା ଖବର ଉପସ୍ଥାପକଙ୍କୁ ଟିଭି ସାମ୍ନାକୁ ଆସିବାକୁ ଦିଆ ନଯାଉ। ଗଣମାଧ୍ୟମ ସମାଜକୁ ବାଣ୍ଟିବାର କାମ କରି ପାରିବ ନାହିଁ ବୋଲି ରୋକ୍ଠୋକ୍ କହିଛନ୍ତି କୋର୍ଟ।
ଶୁଣାଣି ସମୟରେ ଜଷ୍ଟିସ୍ ଜୋସେଫ କହିଛନ୍ତି ଯେ, ‘ସେମାନେ ଘଟାକୁ ଚାଞ୍ଚଲ୍ୟକର କରିଦେଉଛନ୍ତି। ସମାଜରେ ବିଭାଜନ ସୃଷ୍ଟି କରୁଛନ୍ତି। ଖବରକାଗଜ ତୁଳନାରେ ଭିଜୁଆଲ ମିଡିୟମ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ। ଆମର ଦର୍ଶକ, କଣ ଏହିପରି କଣ୍ଟେଣ୍ଟ ଦେଖିବା ପାଇଁ ସମ୍ପୂର୍ଣ୍ଣ ପରିପକ୍ୱ ?’ ଯଦି ଟିଭି କାର୍ଯ୍ୟକ୍ରମରେ ଆଙ୍କର ହିଁ ସମସ୍ୟାର ଅଂଶ ହେବେ ତେବେ କଣ କରାଯାଇ ପାରିବ ବୋଲି ମାମଲାର ଶୁଣାଣି ବେଳେ ଜଷ୍ଟିସ ଜୋସେଫ ନ୍ୟୁଜ୍ ବ୍ରଡକାଷ୍ଟର ଏବଂ ଡିଜିଟାଲ ଆସୋସିଏସନର ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀଙ୍କୁ ପଚାରିଛନ୍ତି। ଏନବିଏସଏ ପକ୍ଷପାତିତା ନ କରିବା ଦରକାର । ଆପଣ କେତେ ଥର ନ୍ୟୁଜ୍ ଆଙ୍କରଙ୍କୁ ହଟାଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଜଷ୍ଟିସ ଜୋସେଫ ଆହୁରି କହିଛନ୍ତି ଯେ ଗୋଟିଏ ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ନିରପେକ୍ଷତାର ଚାବି ଆଙ୍କର ପାଖରେ ରହିଥାଏ । ଯଦି ଆଙ୍କର ନିରପେକ୍ଷ ହେବେନି… ଆଙ୍କର କୌଣସି ପକ୍ଷର କଥାକୁ ରଖିବାକୁ ଚାହିଁଲେ, ସେ ଅନ୍ୟ ପକ୍ଷକୁ ମ୍ୟୁଟ୍ କରିଦେବେ, କୌଣସି ଏକ ପକ୍ଷ ଉପରେ ପ୍ରଶ୍ନ ଉଠାଇବେ ନାହିଁ । ଏହା ପକ୍ଷପାତିତାର ପ୍ରତୀକ ବୋଲି ବିଚାରପତି କହିଛନ୍ତି। ଗଣମାଧ୍ୟମର ଲୋକେ ଶିଖିବା ଦରକାର… ସେମାନେ ଦେଖିବା ଦରକାର ଯେ ବଡ଼ ଶକ୍ତିଗୁଡିକ ସ୍ଥିତି ଉପରେ କବ୍ଜା କରୁଛନ୍ତି ଏବଂ ସେମାନେ ଯାହା କରୁଛନ୍ତି ତାହା ସାରା ଦେଶକୁ ପ୍ରଭାବିତ କରୁଛି ବୋଲି ବିଚାରପତି କହିଛନ୍ତି।
ଆପତ୍ତିଜନକ ଆଙ୍କରଗୁଡିକୁ ଅଫ୍ ଏୟାର କରାଯିବା ଦରକାର ଏବଂ ପ୍ରୋଗ୍ରାମ କୋଡ୍ ଉଲ୍ଲଂଘନ କରୁଥିବା ଚ୍ୟାନେଲ ଉପରେ ମୋଟା ଜରିମାନା ଲାଗୁ କରାଯିବ ଉଚିତ ବୋଲି କୋର୍ଟ କହିଛନ୍ତି ।
ଏୟାର ଇଣ୍ଡିଆ ବିମାନରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରଙ୍କ ବିରୋଧରେ ଟିଭି ଚ୍ୟାନେଲଗୁଡ଼ିକ ଯେଉଁଭଳି ଶବ୍ଦର ବ୍ୟବହାର କରିଥିଲେ ଏହାକୁ ସମାଲୋଚନା କରିଥିଲେ କୋର୍ଟ। ଏନେଇ ଜଷ୍ଟିସ୍ ଜୋସେଫ କହିଛନ୍ତି ଯେ କାହାକୁ ଅପମାନିତ କରାଯିବା ନ ଦରକାର। ସମସ୍ତଙ୍କର ସମ୍ମାନର ଅଧିକାର ରହିଛି’। ଉଲ୍ଲେଖଯୋଗ୍ୟ ଯେ ଜଷ୍ଟିସ କେଏମ ଜୋସେଫ ଏବଂ ବିଭି ରାଗରତ୍ନାଙ୍କ ଖଣ୍ଡପୀଠ ହେଟ୍ ସ୍ପିଚ୍ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରୁଥିଲେ।ଏହି ସମୟରେ ସେ ବିଶେଷ କରି ଗଣମାଧ୍ୟମ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।