
ନିଟ୍ ପିଜି ୨୦୨୫ର ପରୀକ୍ଷା କେବଳ ଗୋଟିଏ ସିଫ୍ଟରେ ହିଁ କରାଯିବ : ସର୍ବୋଚ୍ଚ ନ୍ୟାୟାଳୟ
ନିଟ୍ ପିଜି ୨୦୨୫ର ପ୍ରସ୍ତୁତି କରୁଥିବା ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ପାଇଁ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କୋର୍ଟ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ଏବେ ନିଟ୍ ପିଜି ୨୦୨୫ର ପରୀକ୍ଷା କେବଳ ଗୋଟିଏ ସିଫ୍ଟରେ ହିଁ କରାଯିବ । ଏହି ନିଷ୍ପତ୍ତି ପରୀକ୍ଷାର ପାରଦର୍ଶିତା ଓ ସମସ୍ତ ଛାତ୍ରଙ୍କୁ ସମାନ ସୁଯୋଗ ଦେବା ଉଦ୍ଦେଶ୍ୟରେ ନିଆଯାଇଛି ।ଗତ କିଛି ବର୍ଷରେ ଦେଖିବାକୁ ମିଳିଛି ଯେ, ନିଟ୍ ପିଜି ପରି ବଡ ପରୀକ୍ଷା ଦୁଇଟି ଅଲଗା ଅଲଗା ସିଫ୍ଟରେ କରାଯାଉଥିଲା । ସୁପ୍ରିମକୋର୍ଟ ଏହି ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଦୁଇଟି ସିଫ୍ଟରେ ଆୟୋଜିତ ପରୀକ୍ଷାରେ ପ୍ରଶ୍ନର କଠିନ ସ୍ତର ଅଲଗା ଅଲଗା ହୋଇପାରେ, ଏଥିରେ କିଛି ପରୀକ୍ଷାର୍ଥୀଙ୍କୁ ଫାଇଦା ଏବଂ ଆଉ କିଛି ପରୀକ୍ଷାର୍ଥୀଙ୍କ କ୍ଷତି ହୋଇପାରେ ।
କୋର୍ଟ ଏହା ମଧ୍ୟ କହିଛନ୍ତି, ଦୁଇଟି ପ୍ରଶ୍ନ ପତ୍ରକୁ ସଂପୂର୍ଣ୍ଣ ଭାବେ ସମାନ ସ୍ତର କୁହାଯାଇ ପାରିବ ନାହିଁ । ଏମିତି ସ୍ଥିତି ଅସମାନତା ଓ ମନମୁଖୀ କାର୍ଯ୍ୟକୁ ଜନ୍ମ ଦେଇଥାଏ । ତେଣୁ ସମସ୍ତ ପରୀକ୍ଷାର୍ଥୀଙ୍କ ସହିତ ନ୍ୟାୟ କରିବା ପାଇଁ ପରୀକ୍ଷା ଏବେ କେବଳ ଗୋଟିଏ ସିଫ୍ଟରେ ଆୟୋଜିତ ହେବ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତିରେ ମେଡିକାଲ୍ ଛାତ୍ର-ଛାତ୍ରୀଙ୍କୁ ଆଶ୍ୱସ୍ତି ମିଳିଛି, କାରଣ ସେମାନଙ୍କୁ ଏବେ ଅନ୍ୟ କୌଣସି ସିଫ୍ଟର କଠିନ କିମ୍ବା ସହଜ ପ୍ରଶ୍ନ ପତ୍ର ଉପରେ ଚିନ୍ତା କରିବାକୁ ପଡିବ ନାହିଁ । ସମସ୍ତ ପରୀକ୍ଷାର୍ଥୀ ଗୋଟିଏ ସମୟରେ ସମାନ ପ୍ରଶ୍ନ ସହିତ ପରୀକ୍ଷା ଦେବେ । ଏଥିରେ ପରୀକ୍ଷା ଫଳାଫଳର ନିରପେକ୍ଷତା ଓ ପାରଦର୍ଶିତା ବଜାୟ ରହିବ ।